ଗୋପାଳପୁର,୨୭/୦୯ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ଲୋକ କଳା ସାଂସ୍କୃତିକ ଦଳଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରଙ୍ଗେଇଲୁଣ୍ଡା ବ୍ଲକ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ଶିବିର ବ୍ଲକ କଳା ସାଂସ୍କୃତିକ ସଂଘ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦେଇ କଳାକାରଗଣ କିଭଳି ଲୋକକଳା ପରିବେଷଣ ଦ୍ୱାରା ସରକାରଙ୍କ ବିଭିନ୍ନ ଜନ ହିତାଧିକାରୀ ଯୋଜନା ପ୍ରତି ଗ୍ରାମରେ ପ୍ରଚାର ଓ ପ୍ରସାର କରିବେ ସେ ସମ୍ପର୍କରେ ବୁଝାଇ ବା ସହିତ କାର୍ଯ୍ୟକ୍ରମ ପରିବେଷଣର ଶୈଳୀ, ନିତି ନିୟମ ଅନୁପାଳନ , କାର୍ଯ୍ୟକ୍ରମ ପରିବେଷଣର ଆବଶ୍ୟକତା , କଳାକାରଙ୍କ ପାରିଶ୍ରମିକ ଟଙ୍କା କିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ପ୍ରଦାନ ହେବ ସେ ନେଇ ଉପସ୍ଥିତ କଳାକାର ମାନଙ୍କୁ ଜଣାଇଥିଲେ । ବ୍ଲକ ସାଂସ୍କୃତିକ ସଂଘର ଉପସଭାପତି ରବି ନାରାୟଣ ଶତପଥୀ ,କଳାକାର ଆଲୋକ କୁମାର ବିଶୋଇ ,ରଣପା ନୃତ୍ୟ ଗୁରୁ ରାଜେନ୍ଦ୍ର ପାତ୍ର ପାରମ୍ପରିକ ଲୋକକଳା ମାଧ୍ୟମରେ ପରିବେଷଣ ଶୈଳୀର ବିଭିନ୍ନ ଦିଗ, ବେଶ ଭୁଷା, ଭାଷା ପ୍ରୟୋଗ, ଶାଳୀନତା ଅନୁପାଳନ ଉପରେ କଳାକାର ଦଳ ମୁଖ୍ୟ ଓ ଗୁରୁ ମାନଙ୍କୁ ବୁଝାଇ ଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ବ୍ଲକ ସ୍ତରୀୟ ଅଧିକାରୀଗଣ ବୁଝାଇ ଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲଷ୍ମୀ ନୃସିଂହ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।