ବଦଳିବ କି କଳାହାଣ୍ଡି ଲୋକସଭା ଆସନ ସମୀକରଣ : ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ


କଳାହାଣ୍ଡି,୨୭/୦୯-ରାଜ୍ୟରେ ନିର୍ବାଚନ ଋତୁ ପାଖେଇ ଆସୁଥିବାବେଳେ ରାଜନୈତିକ ବାତାବରଣ ମଧ୍ୟ ସରଗରମ ହେବାରେ ଲାଗିଛି ! ଓଡ଼ିଶାରେ ଷଷ୍ଠ ଥର ପାଇଁ ଶାସନ କରିବାକୁ ବିଜେଡି ଅଣ୍ଟା ଭିଡ଼ି ଲାଗିପଡ଼ିଛି ! ସେହିପରି କେନ୍ଦ୍ର ଶାସନରେ ଥିବା ବିଜେପି ଏଥର ରାଜ୍ୟରେ କ୍ଷମତା ଦଖଲ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ କଂଗ୍ରେସ ମଧ୍ୟ ତାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି ! ଏଇ କ୍ରମରେ ବିଜେପି ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ବରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ! ଏଇ ମିଶ୍ରଣ ପର୍ବ ଅବସରରେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ଏବଂ ତାଙ୍କ ପତ୍ନୀ ମାଳବିକା ଦେଓ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିବା ଜଣାପଡ଼ିଛି ! ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ସମେତ ଦଳୀୟ ନେତ୍ରୁବ୍ରୁନ୍ଦଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି ! ସୂଚନାଯୋଗ୍ୟ, ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ଟିକେଟରେ ଅର୍କ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ନଦେଇ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଟିକେଟ୍ ଦେଇଥିଲା ! ଏଇ ନିର୍ବାଚନରେ ପୁଷ୍ପେନ୍ଦ୍ର ପରାଜିତ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ ! ଦଳର ଏଇ ନିଷ୍ସତ୍ତିକୁ ନେଇ ଖପ୍ପା ଥିବା ଅର୍କଙ୍କୁ ପରବର୍ତ୍ତୀ ସମୟରେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା ! ଏପରିକି ସେ କୁଆଡ଼େ ସେତେବେଳେ ବିଜେଡିରୁ ଇସ୍ତଫା ଦେଇଥିଲେ ବୋଲି କୁହାଯାଉଛି ! ବର୍ତ୍ତମାନ ଉଭୟ ପତିପତ୍ନୀ ବିଜେପିରେ ସାମିଲ ହେବା ପରେ ଏହାର ପ୍ରଭାବ କଳାହାଣ୍ଡି ରାଜନୀତିରେ ପଡ଼ିପାରେ ବୋଲି ଆଲୋଚନା ହେଉଛି ! କାରଣ ବିଗତ ଦିନରେ କଳାହାଣ୍ଡିର ରାଜନୀତିକୁ ଲକ୍ଷ୍ୟ କଲେ କଳାହାଣ୍ଡି ରାଜ ପରିବାରର ପ୍ରଭାବ ରହି ଆସିଥିବାବେଳେ ଅର୍କଙ୍କ ବାପା ବିକ୍ରମ କେଶରୀ ଦେଓ ମଧ୍ୟ ରାଜନୀତିରେ ବେଶ୍ ସଫଳ ହୋଇଥିଲେ ! ଏବେ ପିତାଙ୍କ ପଦାଙ୍କ ଅନୁସରଣ କରି ଅର୍କ ବିଜେପି ପକ୍ଷରୁ କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଥିବାବେଳେ ଦଳ ପକ୍ଷରୁ ତାଙ୍କ ପତ୍ନୀ ମାଳବିକା ଦେଓଙ୍କୁ ମଧ୍ୟ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ କରାଯାଇପାରେ ବୋଲି ଜିଲ୍ଲାରେ ଆଲୋଚନା ହେଉଛି !