କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ; ୨୮ରୁ ୨ ତାରିଖ ଯାଏଁ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା


କଳାହାଣ୍ଡି,୨୭/୦୯-ଆସନ୍ତାକାଲି ଅର୍ଥାତ୍ ୨୮ତାରିଖରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧାରୁ ଅଧିକାଂଶ ଜିଲ୍ଲାରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଆଧାରରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଫେରିଯିବାକୁ ସମୟ ଅନୁକୂଳ ହୋଇଥିବାବେଳେ ନିୟମିତ ଅନ୍ତରରେ ଲଗାଣ ବର୍ଷା ହେବା ଚାଷୀକୂଳକୁ ଆଶ୍ୱସ୍ତ କରିଛି ସତ କିନ୍ତୁ ଅନେକତ୍ର ଧନଜୀବନ ହାନୀର କାରଣ ମଧ୍ୟ ପାଲଟିଛି । ଏହିପରି ଭାବେ ଆସନ୍ତାକାଲିଠାରୁ ୨ ତାରିଖ ଯାଏଁ ଲଗାଣ ବର୍ଷା ସହିତ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂତ୍ରରୁ ଜଣାପଡିଛି । ଏପରିକି ରାଜ୍ୟର ଅଧାରୁ ଅଧିକ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିବ ବୋଲି ରାଜ୍ୟ ପାଣିପାଗ ବିଭାଗ ଆକଳନ କରିଛି । ୨୮, ୨୯,୩୦,୦୧ ଓ ୦୨ ତାରିଖ ଯାଏଁ ଅନ୍ୟ ସମ୍ଭାବ୍ୟ ଜିଲ୍ଲା ଭଳି କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।