ରୋହନ ବୋପାନ୍ନା ଓ ଋତୁଜା ଭୋସଲେ ଯୋଡ଼ି ରଚିଲେ ଇତିହାସ, ଏସୀୟ କ୍ରୀଡ଼ାରେ ଭାରତକୁ ଜିତାଇଲେ ସ୍ଵର୍ଣ୍ଣ ପଦକ


ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତ ଆଉ ଏକ ସ୍ଵର୍ଣ୍ଣ ପଦକ ଜିତିଛି। ରୋହନ ବୋପାନ୍ନା ଓ ଋତୁଜା ଭୋସଲେଙ୍କ ଯୋଡ଼ି ଟେନିସର ମିଶ୍ରିତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ଯୋଡ଼ି ଫାଇନାଲରେ ତାଇପେ ଯୋଡ଼ିକୁ ୨-୬, ୬-୩, ୧୦-୪ ସେଟରେ ପରାସ୍ତ କରିଛନ୍ତି। ଭାରତୀୟ ଯୋଡ଼ି ଫାଇନାଲ ମୁକାବିଲାରେ ପ୍ରଥମ ସେଟ୍ ହରାଇବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍ ଜିତି ଭାରତକୁ ସ୍ଵର୍ଣ୍ଣ ଜିତାଇଛନ୍ତି।

ଫାଇନାଲ୍ ମୁକାବିଲାରେ ତାଇପେ ଯୋଡ଼ି ଏନ ସୁଲୋ ଲିୟାଙ୍ଗ ଓ ତ୍ସୁଙ୍ଗ ହାଓ ହୁଆଙ୍ଗଙ୍କ ଯୋଡ଼ି ପ୍ରଥମ ସେଟକୁ ଜିତିଥିଲେ। ଏହା ପରେ ଭାରତୀୟ ଯୋଡ଼ି ଦମଦାର ପ୍ରତ୍ୟାବର୍ତ୍ତନ କରି ଦ୍ଵିତୀୟ ସେଟକୁ ୬-୩ରେ ଜିତିବା ପରେ ଖେଳ ୧-୧ରେ ବରାବର ରହିଥିଲା। ପୁଣି ମ୍ୟାଚର ଫଇସଲା ଟାଇବ୍ରେକରେ ହୋଇଛି। ଯେଉଁଥିରେ ବୋପନ୍ନା ଓ ଭୋସଲେ ୧୦-୪ ଦମଦାର ସ୍କୋର କରି ଟେିନସରେ ପୁରୁଷ-ମହିଳା ମିଶ୍ରିତ ବର୍ଗରେ ଇତିହାସ ରଚି ଭାରତକୁ ଏସୀୟ କ୍ରୀଡ଼ାରେ ଆଉ ଏକ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।

୧୯ତମ ଏସୀୟ କ୍ରୀଡ଼ାରେ ଏହା ଭାରତର ନବମ ସ୍ଵର୍ଣ୍ଣ ପଦକ। ଏହାକୁ ମିଶାଇ ଭାରତର ମୋଟ୍ ପଦକ ସଂଖ୍ୟା ୩୫ରେ ପହଞ୍ଚିଛି। ଏଥିରେ ୯ ସ୍ଵର୍ଣ୍ଣ, ୧୩ ରୌପ୍ୟ ଓ ୧୩ କାଂସ୍ୟ ପଦକ ସାମିଲ୍। ସପ୍ତମ ଦିନରେ ଏହା ଭାରତର ପ୍ରଥମ ସ୍ଵର୍ଣ୍ଣ ପଦକ ଥିଲା। ଏସୀୟ କ୍ରୀଡ଼ାରେ ଏ ପର‌୍ୟ୍ୟନ୍ତ ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି।