ବେଲଗୁଣ୍ଠା,30/09, ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଜଣେ ଯୁବକ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିବା ଘଟଣା ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ମୁତାବକ ସିଙ୍ଗିପୁର ଗ୍ରାମର କାଶୀନାଥ ବିଷୋୟୀଙ୍କ ପୁଅ ଗୌରାଙ୍ଗ ବିଷୋୟୀ(38) ଶୁକ୍ରବାର ରାତିରେ ଖାଇପିଇ ନିଜ ପରିବାର ସହ ଘରେ ଶୋଇଥିଲେ I ରାତ୍ରି ଏକ ଘଣ୍ଟା ଦଶ ମିନଟ୍ ସମୟରେ ଏକ ଚିତି ସାପ ଗୌରାଙ୍ଗଙ୍କୁ କାମୁଡ଼ି ଦେଇଥିଲା I ଘଟଣା ସମ୍ପର୍କରେ ଗୌରାଙ୍ଗ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଅଟୋରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ସେଠାରେ ଗୌରାଙ୍ଗଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେକୁ ନିଆଯାଇଥିଲା I ସେଠାରେ ଡାକ୍ତର ଗୌରାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ I ଗୌରାଙ୍ଗଙ୍କ ମୃତ ଖବର ଗାଆଁରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା I ଗୌରାଙ୍ଗ ଜଣେ ପରୋପକାରୀ ଏବଂ ଉତ୍ସାହୀ ଯୁବକ ହୋଇଥିବା ବେଳେ ସେ ମୁନିଗାଡ଼ି ଅଟୋ ଚାଳକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ I ଟୁଟୁ ଭାଇ ନାମରେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ I ତାଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ସରପଞ୍ଚ ସବିତା କୁମାରୀ ସ୍ୱାଇଁ, ସରପଞ୍ଚ ପ୍ରତିନିଧି କାହ୍ନୁ ସ୍ଵାଇଁ,ସମିତିସଭ୍ୟ ନମିତା ବିଷୋୟୀ, ନାଏବ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ,ଅବସରପ୍ରାପ୍ତ ତହସିଳଦାର ପ୍ରମୋଦ କୁମାର ଦଳବେହେରା,ଭିଆରଏସ୍ ଗୃପ୍ ଉପଦେଷ୍ଟା ଦୀନ୍ ଦୟାଲ୍ ଜେନା ଓ ସମସ୍ତ ସଦସ୍ୟ,ମୁନିଗାଡ଼ି ଅଟୋ ଚାଳକ ସଂଘର ସମସ୍ତ ସଦସ୍ୟ, ସନ୍ତୋଷ ସ୍ୱାଇଁ, ଚିତ୍ରସେନ ଦଳବେହେରା,ଗ୍ରାମ୍ୟ ପରି ଚାଳନା କମିଟି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ମୃତ ଗୌରାଙ୍ଗ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ I ଗୌରାଙ୍ଗଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ଝୁନୁ ବିଷୋୟୀ ଏବଂ ତିନି ନାବାଳକ ପୁଅ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଥିବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I