୭ ଦଫା ଦାବି ନେଇ ଚାଷ ସହ ଚାଷୀ ବଞ୍ଚାଅ ପଦଯାତ୍ରା : ବିରାଟ ପଟୁଆଳରେ ଚାଷୀ ଗର୍ଜିଲେ


ଅତାବିରା,2/10–ରାଜ୍ୟର ଭାତ ହାଣ୍ଡିଭାବେ ପରିଚିତ ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଚାଷୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି l ରାଜ୍ୟ ତଥା ଦେଶକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ଚାଷୀ ଓ ଚାଷକୁ ବଞ୍ଚାଇବା ଲକ୍ଷ୍ୟ ନେଇ ଗତ ଅଗଷ୍ଟ 15ତାରିଖ ରୁ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଗାଁ କୁ ଗାଁ ଯାଇ ପ୍ରତି ପଞ୍ଚାୟତରେ ଚାଷୀଙ୍କୁ ସଚେତନ କରିବା ସହ ଚାଷୀ ଓ ଚାଷ ବଞ୍ଚାଅ ଅଭିଯାନରେ ସାମିଲ କରାଯାଇଛି l ସୋମବାର ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସରରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ତ୍ଵରେ ଶତାଧିକ ଚାଷୀ ପଟୁଆଳ ରେ ବିଭିନ୍ନ ଶ୍ଳୋଗାନା ଦେଇ ପଦଯାତ୍ରା କରିଥିଲେ l ଅତାବିରା ଦୁର୍ଗା ମନ୍ଦିରରେ ପାରମ୍ପରିକ ପୂଜାଅର୍ଚ୍ଚନା ପରେ ଅତାବିରା ଦୁର୍ଗା ମନ୍ଦିର ନିକଟ ଗାନ୍ଧୀ ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପରେ ସେଠାରୁ ଲାଦେରପାଲି ସ୍ଥିତ ରାମଚଣ୍ଡୀ ମନ୍ଦିର ଯାଏଁ ବିରାଟ ପଟୁଆଳରେ ଚାଷୀ ପଦଯାତ୍ରା କରିଥିଲେ l ହାତରେ ବିଭିନ୍ନ ଶ୍ଳୋଗାନ ସହ ୭ ଦଫା ଦାବିକୁ ଧରି ଚାଷୀ ନିଜ ଅଭିପ୍ରାୟ ତଥା ଆଭିମୁଖ୍ୟ ପରିପ୍ରକାଶ କରିଥିଲା l ୭ ଦଫା ଦାବି ଓ ଭିନ୍ନ ଶ୍ଳୋଗାନ ଶବ୍ଦରେ ଜାତୀୟ ରାଜପଥ ଦୁଲୁକି ପଡିଥିଲା l ପଦଯାତ୍ରା ରାମଚଣ୍ଡୀ ମନ୍ଦିର ପହଁଚିଲା ପରେ ସମବେତ ଚାଷୀ ଏହି ଅଭିଯାନର ଉଦଯାପନୀ ଉତ୍ସବରେ ସାମିଲ ହୋଇଥିଲେ l ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ରାଜବୋଡ଼ାସମ୍ବର କୃଷକ ସଂଗଠନ ର ଆଇନପରାମର୍ଶଦାତା କବିର ଶତପଥି, ରାଜବୋଡାସମ୍ବର କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅତାବିରା କୁଳିତା ସମାଜର ସଭାପତି ଦିବାକର ପ୍ରଧାନ ଅତିଥିଭାବେ ଯୋଗ ଦେଇ ଚାଷ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l ସଂଗଠନ ର ସମୀର ପ୍ରଧାନ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ l ସଂଗଠନ ର ସଭାପତି ବୀରେନ୍ଦ୍ର କର କହିଥିଲେ ଯେ, 2024 ନିର୍ବାଚନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଅନ୍ୟ ସମସ୍ତ ରାଜନୈତିକ ଦଳ ଗୁଡିକର ନିର୍ବାଚନୀ ଇସ୍ତାହାର (ଏଜେଣ୍ଡା ଅର୍ଥାତ ଶ୍ୱେତପତ୍ର) ରେ ଚାଷ ସହ ଚାଷୀ ବଞ୍ଚାଅକୁ ସାମିଲ କରିବା ସହ ସଂଗଠନ ରଖିଥିବା ୭ ଟି ପୂରଣ କରୁ l ଅନ୍ୟଥା ଚାଷୀ ଆଗକୁ ରାଜରାସ୍ତାକୁ ଓଲ୍ଲାଇ ଜୋରଦାର ଆନ୍ଦୋଳନ କରିବାକୁ ବାଧ୍ୟ ହେବ l
ସଂଗଠନ ୭ଟି ଦାବି ରଖିଛି l ପ୍ରଥମତଃ ସମସ୍ତ ଚାଷୀଙ୍କ ଋଣ ସଂପୂର୍ଣ୍ଣ ଛାଡ଼ କରିବା, ଫସଲ ବୀମା ଓ ଇନ୍‌ପୁଟ୍ ସବ୍‌ସିଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ପ୍ରଦାନ କରିବା, ଧାନ କ୍ୱିଣ୍ଟାଲ ପିଛା ବୋନସ୍ ୮୦୦/-ଟଙ୍କା ପ୍ରଦାନ କରିବା, ଚାଷୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଚାଷୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା, ସମସ୍ତ ଚାଷୀଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିବା, ମଣ୍ଡିରେ ଚାଷୀଙ୍କୁ ଶୋଷଣରୁ ମୁକ୍ତି କରିବା ଏବଂ ୬୦ ବର୍ଷରୁ ଉର୍ଦ୍ଧ ଚାଷୀଙ୍କୁ ମାସିକ ୫୦୦୦/-ଟଙ୍କା ପେନ୍‌ସନ୍ ଦିଆଯିବାକୁ ଦାବି ରଖାଯାଇଛି l