Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୁରରେ ଗାନ୍ଧୀଜୟନ୍ତୀ ପାଳନ ସହ ପ୍ରତିଭା ବିକାଶ ସମାରୋହ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଦିବସ ବ୍ୟାପୀ ଆନ୍ତଃଶ୍ରେଣୀ ପ୍ରତିଭା ଚୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜମନକିରା, ତିଲେଇବଣି ଓ କୁଚିଣ୍ଡା ବ୍ଲକ ଅଧିନସ୍ଥ ୬ଟି ଗ୍ରାମ ପଞ୍ଚାୟତର ୪୪୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଉଦଯାପନ ସମାରୋହ ତଥା ପୁରସ୍କାର ବିତରଣ ସଭାରେ ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ଡା:ହୃଦାନନ୍ଦ ନାୟକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଜୀବନଚର୍ଯ୍ୟା ସଂକ୍ରାନ୍ତରେ ଆଲୋଚନା କରି ପ୍ରତେକ ଛାତ୍ରଛାତ୍ରୀ ଆଦର୍ଶକୁ ପାଥେୟ କରି ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସଚନ୍ଦ୍ର ନାୟକ ଯୋଗଦେଇ ଗାନ୍ଧୀଙ୍କ ନୀତିକୁ ଗ୍ରହଣ କରିଥିବା ରାଷ୍ଟ୍ର ଏବେ ଅର୍ଥନୈତିକ ସ୍ୱାବଲମ୍ବି ହୋଇଥିବା ବେଳେ ଗାନ୍ଧୀ ବିଚାର କୁ ତ୍ୟାଗ କରି ଆମ ଦେଶର ଗରିବ ଅଧିକ ତଳ ସ୍ଥରକୁ ଖସି ଯାଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ରତନଲାଲ ସିଂ ଏବଂ ବରିଷ୍ଠ ଶିକ୍ଷକ ପ୍ରମୋଦ ଚୌଧୁରୀ ମଞ୍ଚାସିନ ଥିଲେ। ପ୍ରାରମ୍ଭରେ ଭୋଜପୁର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ନାଥ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭୋଜପୁର ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଦେବେନ୍ଦ୍ର ନାୟକ ଅଭିଯାନର ବିବରଣୀ ପାଠ କରିଥିଲେ। ଅଭିଯାନର ଆବାହକ ଅଭିଯାନ ଓ ପାଠାଗାର ଆନ୍ଦୋଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଅଭିଯାନ ୨୧ ବର୍ଷରେ ଉପନୀତ ହୋଇଛି ବୋଲି କହିଥିଲେ। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଗାନ୍ଧୀ ଓ ଶାସ୍ତ୍ରୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସଭାରେ ସ୍ବର୍ଗତ ଶୁଭମ ଗଡ଼ତିଆ ସ୍ମୃତି ପୁରସ୍କାର, ଭାଗଚନ୍ଦ ଅଗ୍ରୱାଲ ସ୍ମୃତି, ସୁବୋଧ ଶର୍ମା ସ୍ମୃତି, ତାପସ ନାଏକ ସ୍ମୃତି ପୁରସ୍କାର, ସ୍ବର୍ଗତ ଅଶୋକ ନାୟକ ସ୍ମୁତି ସମେତ ବହୁ ସଦସ୍ୟଙ୍କ ପକ୍ଷରୁ କୃତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଆସିଥିବା ସର୍ବଶ୍ରୀ ଦଶାବତାର ସାହୁ, ସୁମନ୍ତ ମହାକୁଲ, ମାନସ ପଟେଲ, ଅକ୍ଷୟ ନାଏକ, ସୁଦର୍ଶନ ପାଣି, ମଧୁମିତା ବହିଦାର, ହରେକୃଷ୍ଣ ନାୟକ, ସୁଗତ ପଟେଲ, ସୁପ୍ରଭା ମହାନ୍ତି, ସୁଶାନ୍ତ ମହାପାତ୍ର, ଉପାସନା ସ୍ୱାଇଁ, ଅଧ୍ୟାପକ ସତ୍ୟନାରାୟଣ ପଟେଲ, ଖଗେଶ୍ବର ନାଏକ, ରାମ ମିଂଜ, କୈଳାସ ଗୌଡ଼, ଚତୁର୍ଭୁଜ ସାହୁ, ଦିଲ୍ଲୀପ ପଟେଲ, କଲ୍ୟାଣୀ ପଟେଲ, ରମେଶ କିସାନ ପ୍ରମୁଖ ଶିକ୍ଷାବିତ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଅଭିଯାନର ବରିଷ୍ଟ ସଦସ୍ୟ ରମାକାନ୍ତ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।