Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯଶସ୍ଵୀଙ୍କ ବିସ୍ଫୋରକ ଶତକ, ଏସୀୟ କ୍ରୀଡ଼ା ୨୦୨୩ର ସେମି ଫାଇନାଲରେ ଭାରତୀୟ ଦଳ

ନୂଆଦିଲ୍ଲୀ: ଚୀନର ହଙ୍ଗଝୌରେ ଜାରି ଏସୀୟ କ୍ରୀଡ଼ା ୨୦୨୩ର କ୍ରିକେଟ୍ ପ୍ରତିଯୋଗିତାରେ ଭାରତୀୟ ଦଳ ସେମି ଫାଇନାଲରେ ପ୍ରବେଶ କରିଛି। ଭାରତ ସିଧାସଳଖ କ୍ଵାର୍ଟର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ଏବଂ ନିଜର ପ୍ରଥମ ନକଆଉଟ୍ ମ୍ୟାଚରେ ନେପାଳକୁ ହରାଇ ସେମିରେ ପହଞ୍ଚିଛି। ଏହି ମ୍ୟାଚରେ ଯଶସ୍ଵୀ ଜୟସଓ୍ଵାଲଙ୍କ ଦମଦାର ଶତକ ଦମରେ ଭାରତ ପଡ଼ୋଶୀ ନେପାଳକୁ ୨୩ ରନରେ ହରାଇଛି। ସେମି ଫାଇନାଲ୍ ମୁକାବିଲା ଅକ୍ଟୋବର ୫ରେ ଖେଳାଯିବ।

ଅଧିନାୟକ ଋତୁରାଜ ଗାଏକଓ୍ଵାଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଭଲ ଆରମ୍ଭ କରିଥିଲା ଏବଂ ଦୁଇ ଓପନର ଗାଏକଓ୍ଵଡ ଓ ଜୟସଓ୍ଵାଲ ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ଅଧିନାୟକ ଗାଏକଓ୍ଵାଡ଼ ୨୩ ବଲରୁ ୨୫ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ ଜୟସଓ୍ଵାଲ। ଏହି ଯୁବ ବାମହାତୀ ବ୍ୟାଟର ୨୨ ବଲରୁ ଅର୍ଦ୍ଧଶତକ ଏବଂ ୪୮ ବଲରୁ ଶତକ ଅର୍ଜନ କରିଛନ୍ତି। ଏଥିରେ ୮ ଚୌକା ଓ ୭ ଛକା ସାମିଲ୍।

ଜୟସଓ୍ଵାଲ୍ ୧୦୦ ରନ କରି ଆଉଟ୍ ହୋଇଥିଲେ। ରିଙ୍କୁ ସିଂ ୧୫ ବଲରେ ୩୭ ରନ ଓ ଶିବମ ଦୁବେ ୧୯ ବଲରୁ ୨୫ ରନର ଇନିଂସ ଖେଳିଛନ୍ତି। ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୦୨ ରନ କରିଥିଲା। ଜବାବରେ ନେପାଳ ୯ ଓ୍ଵିକେଟ୍ ହରାଇ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଦୀପେନ୍ଦ୍ର ସିଂ ଏରି ୩୨ ରନ କରିଥିଲା। ଏଥିସହ ଟୁର୍ଣ୍ଣାମେଣ୍ଟରେ ନେପାଳ ଯାତ୍ରା ସମାପ୍ତ ହୋଇଛି।

ଭାରତୀୟ ଦଳ ପଦକ ଦୌଡ଼ରେ ସାମିଲ୍ ହୋଇ ଯାଇଛି। ସେମି ଫାଇନାଲରେ ଭାରତ କାହା ସହ ମୁକାବିଲା କରିବ ତାହା ପରିବର୍ତ୍ତୀ ମ୍ୟାଚର ଫଳାଫଳରୁ ଜଣା ପଡ଼ିବ। ମହିଳା ଦଳ ପରି ପୁରୁଷ ଦଳର ନଜର ସ୍ଵର୍ଣ୍ଣ ପଦକ ଉପରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ