Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୦ ଘଣ୍ଟାରୁ ଅଧିକ ବିଦ୍ୟୁତ ଯୋଗାଣ ସମସ୍ୟା, ୧୨ ଶହରୁ ଅଧିକ ଛାତ୍ରୀଛାତ୍ର ହେଉଛନ୍ତି କଲବଲ

ଜମନକିରା : ଜମନକିରା ବିଦ୍ୟୁତ ସେକ୍ସନ ଅଧିନସ୍ଥ ୫ ଟି ଆଶ୍ରମ ଏବଂ ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସ୍ଥାପିତ ଛାତ୍ରୀ ଓ ଛାତ୍ରାବାସରେ ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ଯୋଗାଣରେ ସମସ୍ୟା ହୋଇଥିବା ଯୋଗୁଁ ୬ଟି ସ୍କୁଲର ପ୍ରାୟ ୧୨ ଶହରୁ ଅଧିକ ଅନ୍ତେବାସୀ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ୧୨ ଶହ ମଧ୍ୟରୁ ୭ଶହରୁ ଅଧିକ ଛାତ୍ରୀ ରହିଛନ୍ତି। ତେବେ ଖୁବ ଶୀଘ୍ର ପ୍ରତିକାର କରାଯିବ ବୋଲି ଉଭୟ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ଏବଂ କୁଚିଣ୍ଡା ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ସୁବ୍ରତ କୁମାର ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଜମନକିରା ବ୍ଲକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା କଟଙ୍ଗପାଣି ସେବାଶ୍ରମ, ଜାମୁମାଲ ସେବାଶ୍ରମ, ଟିକିଲିପଡା ସେବାଶ୍ରମ, ଷଣ୍ଢପଥର ସେବାଶ୍ରମ, ଷଣ୍ଢପଥର ଉଚ୍ଚ ବିଦ୍ୟାଳୟ ଏବଂ ଷଣ୍ଢପଥର ଉଛ ମାଧ୍ୟମିକ ବିଦ୍ୟାଳୟ ଆଦି ୬ ଟି ବିଦ୍ୟାଳୟ ଛାତ୍ରୀ ଛାତ୍ରାବାସରେ ଗତ ୨ ଦିନ ୫୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ଯୋଗାଣ ବନ୍ଦ ଥିବା ଯୋଗୁ ୧୨ ଶହରୁ ଅଧିକ ଅନ୍ତେବାସୀ କଲବଲ ହେଉଥିବା ଅଭିଯୋଗ ହେଉଛି। ବିଦ୍ୟୁତ ନଥିବା ଯୋଗୁଁ ପିଲାମାନେ ଠିକରେ ଶୌଚ ହୋଇପାରୁ ନାହାନ୍ତି। ଛାତ୍ରୀ ମାନଙ୍କ ସହ ଅଧିକ ସମସ୍ୟା ଦେଖାଦେଉଛି, ଖାଦ୍ୟ ପ୍ରସ୍ତୁତିରେ ସମସ୍ୟା ଦେଖା ଦେଇଛି, କେତେକ ସ୍କୁଲରେ ପିଲା ମାନଙ୍କୁ ଗାଧେଇବା ପାଇଁ ନିକଟସ୍ଥ ପୋଖରୀ କଟା ଆଦି ସ୍ଥାନକୁ ଶିକ୍ଷକଙ୍କ ଦ୍ଵାରା ନିଆ ଯାଇ ଗାଧେଇବା ବ୍ୟବସ୍ଥା କରାଯାଇଛି। ପାଣି ମୋଟର ଚାଲୁ ନଥିବାରୁ ଗାଧୁଆ ଘର, ପାଇଖାନା ଘର ସଫା କରାଯାଇ ପାରୁନାହିଁ, ଲାଇଟ ଜଳୁ ନଥିବାରୁ ପିଲାମାନେ ପାଠ ପଢିବାରେ ଅସୁବିଧା ସୃଷ୍ଟି ହେଉଛି, ଫ୍ୟାନ ଚାଲୁ ନଥିବା ବେଳେ ପିଲାମାନେ ଗରମରେ ଡହକ ବିକଳ ହେଉଛନ୍ତି, କପଡା ଲୁଗା ସଫା ହୋଇ ପାରିନାହିଁ, ପିଇବା ପାଣି ପାଇ ପାରୁନାହାନ୍ତି, ପିଲାମାନେ ଅନ୍ଧାରରେ କାଳାତିପାତ କରୁଥିବା ଆଦି ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ସମସ୍ୟା ଅନେକ ସମୟରେ ହେଉଥିବା ବେଳେ ବିଭାଗ ଅଧିକାରୀ ମଧ୍ୟ ଅଣଦେଖା କରୁଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଦ୍ୟୁତ ବିଭାଗ ଅଧିକାରୀ ଅଭିଯୋଗ କୁ କର୍ଣ୍ଣପାତ କରୁନାହାନ୍ତି। ଖୁବ ଶୀଘ୍ର ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଭିଭାବକ, ଅବିଭାବିକା ଏବଂ ବୁଦ୍ଧିଜୀବୀ ମହଲରେ ଦାବି ଯୋର ଧରିଛି। ଯଦି ଆଗକୁ ଏଭଳି ସମସ୍ୟା ଦେଖାଦିଏ, ତାହେଲେ ଆନ୍ଦୋଳନ କରାଯିବ ବୋଲି ଅଧିକାରୀଙ୍କ ପାଖରେ ଲୋକେ ପ୍ରକାଶ କରିଛନ୍ତି।