ଅହମ୍ମଦାବାଦ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାର ଅର୍ଥାତ ଆଜି ଆଇସିସି ଦିନିକିଆ ବିଶ୍ଵକପ୍ ୨୦୨୩ର ଉଦଘାଟନୀ ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଗତ ବିଶ୍ଵକପ ସଂସ୍କରଣରେ ଦୁଇ ଦଳ ମଧ୍ୟରେ ଐତିହାସିକ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଆଉ ଚାରି ବର୍ଷ ପରେ ଦୁଇ ଦଳ ବିଶ୍ଵକପ୍ ୨୦୨୩ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି। ଏହି ଚାରି ବର୍ଷରେ ଦୁଇ ଦଳରେ ଖେଳାଳିଙ୍କ ବହୁତ ପରିବର୍ତ୍ତନ ଘଟିଛି। ଏହା ସତ୍ତ୍ଵେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଦୁଇ ଦଳ ଟାଇଟଲ୍ ଜିତିବା ପାଇଁ ପ୍ରବଳ ଦାବିଦାର ମଧ୍ୟ ଅଛନ୍ତି।
ନ୍ୟୁଜିଲାଣ୍ଡ ଦଳକୁ ବିଶ୍ଵକପ୍ ପୂର୍ବରୁ ଦୁଇଟି ବଡ଼ ଝଟକା ଲାଗିଥିଲା। କେନ ଓ୍ଵିଲିୟମସନ ଏପ୍ରିଲରେ ଆଇପିଏଲ୍ ସମୟରେ ଆହତ ହୋଇଥିଲେ। ତାଙ୍କ ଆଣ୍ଠୁରେ ଗୁରୁତର ସମସ୍ୟା ଦେଖା ଦେଇଥିଲା। ତେବେ ସର୍ଜରୀ ପରେ ସେ ସୁସ୍ଥ ହେବାରେ ଲାଗିଛନ୍ତି। ଆଇସିସି ଓ୍ଵାର୍ମଅପ୍ ମ୍ୟାଚରେ ସେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ତଥାପି ସେ ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଅନ୍ୟପଟେ ଦଳର ତାରକା ଦ୍ରୁତ ବୋଲର ଟିମ୍ ସାଉଦିଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ବର୍ତ୍ତମାନ ସେ ସୁସ୍ଥ ହେବାରେ ଲାଗିଛନ୍ତି। ଅନ୍ୟପଟେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ଆହତ ହୋଇଛନ୍ତି। ଏହି କାରଣରୁ ସେ ପ୍ରଥମ ମୁକାବିଲାରୁ ବାଦ୍ ପଡ଼ିଛନ୍ତି। ତେଣୁ ଏମିତି ହୋଇପାରେ ଦୁଇ ଦଳର ଚୂଡ଼ାନ୍ତ ଏକାଦଶ।
ଇଂଲଣ୍ଡ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଜୋନି ବେୟାରଷ୍ଟୋ, ଡେଭିଡ୍ ମଲାନ, ଜୋ ରୁଟ୍, ହ୍ୟାରି ବ୍ରୁକ, ଜୋସ ବଟଲର(ଅଧିନାୟକ/ଓ୍ଵିକେଟ୍ କିପର), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀ, ସାମ କୁରନ, କ୍ରିସ୍ ଓ୍ଵକ୍ସ, ଆଦିଲ ରଶିଦ, ମାର୍କ ଉଡ
ନ୍ୟୁଜିଲାଣ୍ଡର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଡେଭନ କନଓ୍ଵେ, ଓ୍ଵିଲ ୟଙ୍ଗ, ଡେରିଲ ମିଚେଲ୍, ଟମ ଲାଥମ(ଅଧିନାୟକ/ଓ୍ଵିକେଟ୍ କିପର), ଗ୍ଲେନ ଫିଲିପ୍ସ, ଜିମି ନିଶାନ/ରଚିନ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର, ଇଶ ସୋଢି, ମ୍ୟାଟ୍ ହେନରୀ, ଟ୍ରେଣ୍ଟ ବୋଲ୍ଡ, ଲୋକି ଫର୍ଗ୍ୟୁସନ।