ଚେନ୍ନାଇ: ଚଳିତ ଦିନିକିଆ ବିଶ୍ଵକପରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ବୋଲର ଏବଂ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଛି। ଏକଦା ୨ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଭାରତ ରାହୁଲ ଓ ବିରାଟଙ୍କ ମଧ୍ୟରେ ୩ୟ ଓ୍ଵିକେଟରେ ୧୬୫ ରନର ଭାଗିଦାରୀ ବଳରେ ଭାରତ ମ୍ୟାଚକୁ ଜିତି ନେଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଷ୍ଟିଭ୍ ସ୍ମିଥଙ୍କ ୪୬ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୪୧, ମିଚେଲ୍ ଷ୍ଟାର୍କଙ୍କ ୨୮ ଓ ମାର୍ନସ ଲାବୁସେନଙ୍କ ୨୭ ରନ ବଳରେ ୪୯.୩ ଓଭରରେ ୧୯୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ କେଏଲ ରାହୁଲଙ୍କ ଅପରାଜିତ ୯୭ ରନ ଓ ବିରାଟ କୋହଲିଙ୍କ ୮୫ ରନର ଦମଦାର ଇନିଂସ ଦମରେ ୪୧.୨ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମ୍ୟାଚରେ ଭାରତ ପକ୍ଷରୁ ବୋଲିଂରେ ରବୀନ୍ଦ୍ର ଜାଡ଼େଜା ଗୁରୁତ୍ଵପୂର୍ଣ୍ଣ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।
୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ଭାରତକୁ ଆରମ୍ଭରୁ ୩ ବଡ଼ ଝଟକା ଲାଗିଥିଲା। ଓପନର ଇଶାନ କିଷନ, ଅଧିନାୟକ ରୋହିତ ଶର୍ମା ଓ ଶ୍ରେୟସ ଆୟର ଖାତା ଖୋଲି ପାରି ନ ଥିଲେ। ୨ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ତେବେ ବିରାଟ କୋହଲି ଓ କେଏଲ ରାହୁଲ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ। ଉଭୟ ବ୍ୟାଟର ଧୈର୍ୟ୍ୟର ସହ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଆରମ୍ଭରେ ବିରାଟ କୋହଲି ଜୀବନଦାନ ପାଇଥିଲେ। ଯାହା ଅଷ୍ଟ୍ରେଲିଆକୁ ବହୁତ ମହଙ୍ଗା ପଡ଼ିଛି।
କ୍ରିଜରେ ସେଟ୍ ହେବା ପରେ ଦୁଇ ବ୍ୟାଟର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କୋହଲି ଓ ରାହୁଲ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୬୫ ରନ ଯୋଡ଼ି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଶତକ ଆଡ଼କୁ ଅଗ୍ରସର କୋହଲି ୧୧୬ ବଲରୁ ୬ ଚୌକା ଜରିଆରେ ୮୫ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଏହା ପରେ ବାକି ଔପଚାରିକତା ପୂରଣ କରିଥିଲେ କେଏଲ ରାହୁଲ। ଶେଷ ଆଡ଼କୁ ରାହୁଲ ବଡ଼ ସଟ୍ ଖେଳି ଦଳକୁ ବିଜୟୀ କରାଇଥିଲେ। ସେ ୧୧୫ ବଲରୁ ୮ ଚୌକା ଓ ୨ ଛକା ସହ ୯୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ କରି ତାଙ୍କ ସହ ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ଜୋସ୍ ହେଜେଲଉଡ ୩୮ ରନ ଦେଇ ୩ଟି ସଫଳତା ପାଇଥିଲେ। ମିଚେଲ୍ ଷ୍ଟାର୍କ ୩୧ ରନରେ ୧ ଓ୍ଵିକେଟ୍ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଭାରତର ତିନି ସ୍ପିନର ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ ଓ ଆର ଅଶ୍ଵିନଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲା। ଏହି ତିନି ବୋଲର କଙ୍ଗାରୁ ଦଳର ବ୍ୟାଟରଙ୍କୁ ମଧ୍ୟକ୍ରମରେ ବାନ୍ଧି ରଖିଥିଲେ। ଫଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ବିଫଳ ରହିଥିଲା। ଷ୍ଟିଭ୍ ସ୍ମିଥଙ୍କ ୪୬ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୪୧, ମିଚେଲ୍ ଷ୍ଟାର୍କଙ୍କ ୨୮ ଓ ମାର୍ନସ ଲାବୁସେନଙ୍କ ୨୭ ରନ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଆରମ୍ଭରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ବୋଲିଂରେ ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୪୯.୩ ଓଭରରେ ୧୯୯ ରନ କରି ଅଲଆଉଟ୍ ହୋଇଥିଲା।
ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୧୦ ଓଭରରେ ୩୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ଯଶପ୍ରୀତ ବୁମରା ୧୦ ଓଭରରେ ୩୪ ରନ ବ୍ୟୟ କରି ୨ଟି ଓ୍ଵିକେଟ୍, କୁଲଦୀପ ଯାଦବ ୧୦ ଓଭରରେ ୪୨ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ମଧ୍ୟ ମାପଚୁପ ବୋଲିଂ କରି ୩୫ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି।