ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ଗିଲଙ୍କ ଖେଳିବା ସନ୍ଦେହ, କଭର ଖେଳାଳି ଭାବେ ଦଳରେ ସାମିଲ୍ ହୋଇ ପାରନ୍ତି ଯଶସ୍ଵୀ କିମ୍ଵା ଗାଏକଓ୍ଵାଡ


ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ ଆରମ୍ଭରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ତାରକା ଓପନର ଶୁଭମନ ଗିଲ୍ ଡେଙ୍ଗୁ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ପାରି ନ ଥିଲେ। ଗିଲ୍ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବି ଖେଳିବେ ନାହିଁ। ଏବେ ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଗିଲଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ଇଣ୍ଡିଆନ ଏକ୍ସପ୍ରେସ୍ ଅନୁଯାୟୀ, ଜାତୀୟ ଚୟନକର୍ତ୍ତା କମିଟି ଅବଶିଷ୍ଟ ମ୍ୟାଚ୍ ପାଇଁ ଶୁଭମନ ଗିଲଙ୍କ ବିକଳ୍ପ ଭାବେ ଜଣେ ଖେଳାଳିଙ୍କୁ ଦଳରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଚୟନ କମିଟି ଶୁଭମନଙ୍କ କଭର ଖେଳାଳି ଭାବେ କୌଣସି ଖେଳାଳିଙ୍କୁ ସାମିଲ୍ କରିବା ପାଇଁ ଦଳ ପ୍ରବନ୍ଧକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଦଳ ଯଦି ଅନୁରୋଧ କରେ ତେବେ ଯଶସ୍ଵୀ ଜୟସଓ୍ଵାଲ କିମ୍ଵା ଋତୁରାଜ ଗାଏକଓ୍ଵାଡ଼ଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ୍ କରାଯାଇପାରେ। ଡେଙ୍ଗୁ କାରଣରୁ ଗିଲଙ୍କ ଲଗାତାର ପ୍ଲେଟଲଟ୍ସ କମିବା କାରଣରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୪ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମଇଦାନରେ ଶୁଭମନ ଗିଲଙ୍କ ରେକର୍ଡ ଦମଦାର ରହିଛି। ଏହା ସହିତ ଗିଲ୍ ଗତ ଏକ ବର୍ଷରୁ ଦମଦାର ଫର୍ମରେ ଅଛନ୍ତି। ଗତ ସପ୍ତାହରେ ଭାରତୀୟ ଦଳ ଚେନ୍ନାଇରେ ପହଞ୍ଚିବା ପରେ ଗିଲ୍ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ।