Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IND vs AFG: ୩ ସ୍ପିନର୍ସ ନା ୩ ଦ୍ରୁତ ବୋଲର ? ଆଫଗାନିସ୍ତାନ ବିପକ୍ଷରେ କେମିତି ରହିବ ଟିମ୍ ଇଣ୍ଡିଆର ରଣନୀତି

ନୂଆଦିଲ୍ଲୀ: ବିଶ୍ଵକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳକୁ ହରାଇ ବାକି ସମସ୍ତ ଦଳକୁ ଏକ ପ୍ରକାରର ଚେତାବନୀ ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇରେ ମିଳିଥିବା ବିଜୟରେ ଭାରତର ତିନି ସ୍ପିନର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ଵିନ ଓ କୁଲଦୀପ ଯାଦବ ମିଳିତ ୬ଟି ଓ୍ଵିକେଟ୍ ନେଇଥିଲେ ଓ ଅଷ୍ଟ୍ରେଲିଆକୁ ୧୯୯ ରନରେ ସୀମିତ ରଖିଥିଲେ। ଏବେ ଆଫଗାନିସ୍ତାନର ପାଳି, ଆଉ ଏହି ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ଦିଲ୍ଲୀର ଏହି ଷ୍ଟାଡିୟମକୁ ଗତ କିଛି ବର୍ଷ ହେବ କମ ସ୍କୋରିଂର ମଇଦାନ କୁହାଯାଏ। ଏଠାରେ ବୋଲରଙ୍କୁ ଖୁବ୍ ସହାୟକ ମିଳିଥାଏ ଏବଂ ବ୍ୟାଟରଙ୍କୁ ରନ କରିବାରେ ମୁସ୍କିଲ ହୋଇଥାଏ। କିନ୍ତୁ ଏଠାକାର ବାଉଣ୍ଡରୀ ଛୋଟ ରହିଛି। ମାତ୍ର ପିଚରେ ଅସମାନତା ବାଉନ୍ସ ଓ ସୁଇଙ୍ଗ ବ୍ୟାଟରଙ୍କୁ ଅଡୁଆରେ ପକାଇଥାଏ। ହେଲେ ଚଳିତ ବିଶ୍ଵକପରେ ଦିଲ୍ଲୀରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ମୋଟ୍ ୭୫୪ ରନ ହୋଇଥିଲା। ଏହି ସମୟରେ ବ୍ୟାଟର ୭୪ ଚୌକା ଓ ୩୧ ଛକା ମାରିଥିଲେ। ଦିଲ୍ଲୀ ପିଚର ଏମିତି ଅବତାର ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଭାରତର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦିଲ୍ଲୀର ପିଚ୍ କ୍ୟୁରେଟର କହିଛନ୍ତି ଯେ, ଏବେ ପୁରୁଣା ଦିନକୁ ଭୁଲି ଯାଆନ୍ତୁ, ଦିଲ୍ଲୀରେ ଏବେ ତ ପାର୍ଟି ଆରମ୍ଭ ହୋଇଛି।

ଏମିତିରେ ଭାରତ ସାମ୍ନାରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଭାରତକୁ ଆଜି କେଉଁ ରଣନୀତି ସହ ପଡ଼ିଆକକୁ ଓହ୍ଲାଇବା ଉଚିତ୍। କଣ ଭାରତ ଚେନ୍ନାଇ ପରି ଦିଲ୍ଲୀ ମୁକାବିଲାରେ ୩ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇବ, କିମ୍ବା ଅଶ୍ଵିନଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ସ୍ଥାନ ମିଳିବ। ନଚେତ୍ ଅଶ୍ଵିନଙ୍କ ସ୍ଥାନରେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦେବ। ଏମିତି ହେଲେ ଭାରତ ତିନି ମୁଖ୍ୟ ଦ୍ରୁତ ବୋଲର ସହ ମ୍ୟାଚ୍ ଖେଳିବ।

ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମ୍ୟାଚରେ ଶ୍ରୀଲଙ୍କାର ସମସ୍ତ ଦ୍ରୁତ ବୋଲର ଓ ସ୍ପିନର ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ବରିଷ୍ଠ ସ୍ପିନର କେଶବ ମହାରାଜ ୧୦ ଓଭରରେ ୬୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇ ଦର୍ଶାଇଥିଲେ ଯେ, ଅନୁଭବ କାହାକୁ କହନ୍ତି। ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଓ କାଗିସୋ ରାବଡା ସମସ୍ତ ପାଖାପାଖି ୬ ଇକୋନୋମି ରେଟରେ ରନ ଦେଇ କ୍ରମଶଃ ୧ ଓ ୨ଟି ଓ୍ଵିକେଟ୍ ନେଇଥିଲେ। ଏହାର ଅର୍ଥ ଦିଲ୍ଲୀ ପିଚରେ ଖୁବ୍ ରନ ହେଉଛି। ଏମିତିରେ ଦେଖିବାକୁ ପଡ଼ିବ ଯେ, ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ମ୍ୟାରେ କେଉଁ ଚୂଡ଼ାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଉଛନ୍ତି। ମହମ୍ମଦ ଶାମିଙ୍କୁ ସୁଯୋଗ ଦେବେ ନା ଶାର୍ଦ୍ଦୁଳ ଠାକୁରଙ୍କୁ ପଡ଼ିଆକୁ ଓହ୍ଲାଇବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ