ବିଶ୍ଵକପରେ ବଡ଼ ଓଲଟପାଲଟ ପରେ ପଏଣ୍ଟ ଟେବୁଲରେ ପରିବର୍ତ୍ତନ, ଅଷ୍ଟ୍ରେଲିଆକୁ ଝଟକା ଦେଲା ନେଦରଲ୍ୟାଣ୍ଡ୍ସ


ନୂଆଦିଲ୍ଲୀ: ଚଳିତ ବିଶ୍ଵକପରେ ଆଉ ଏକ ବଡ଼ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି। ଗତକାଲି ଧର୍ମଶାଳାରେ ଖେଳାଯାଇଥିବା ଏକ ମ୍ୟାଚରେ ଅନଭିଜ୍ଞ ନେଦରଲ୍ୟାଣ୍ଡ୍ସ ଦଳ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ଵକପରେ ବଡ଼ ଓଲଟ ପାଲଟ କରିଛି। ଏହା ସହିତ ପଏଣ୍ଟ ତାଲିକାରେ ବି ଦଳ ଅଷ୍ଟ୍ରେଲିଆକୁ ପଛରେ ପକାଇଛି। ଦକ୍ଷିଣ ଆଫ୍ରିକା କ୍ରମାଗତ ଦୁଇଟି ବିଜୟ ପରେ ପରାଜୟର ସ୍ଵାଦ ଚାଖିଥିବା ବେଳେ ନେଦରଲ୍ୟାଣ୍ଡ୍ସ ପ୍ରଥମ ବିଜୟ ଲାଭ କରିଛି। ଗତକାଲିର ମ୍ୟାଚ୍ ପୂର୍ବରୁ ନେଦରଲ୍ୟାଣ୍ଡ୍ସ ପଏଣ୍ଟ ଟେବୁଲରେ ତଳେ ରହିଥିଲା। ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଦଳ ଅଷ୍ଟମ ସ୍ଥାନରେ ପହଞ୍ଚିଛି।

ଏବେ ପଏଣ୍ଟ ଟେବୁଲରେ ସର୍ବନିମ୍ନ ସ୍ଥାନରେ ରହିଛି ଶ୍ରୀଲଙ୍କା। ଏହି ଦଳ ଏ ଯାଏ ଖାତା ବି ଖୋଲି ପାରି ନାହିଁ। ବାକି ୯ଟି ଦଳ ଅତି କମରେ ଗୋଟିଏ ଲେଖାଏ ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି। ପଏଣ୍ଟ ଟେବୁଲରେ ଶୀର୍ଷରେ ଭାରତ ରହିଥିବା ବେଳେ ଦ୍ଵିତୀୟରେ ନ୍ୟୁଜିଲାଣ୍ଡ। ଏହି ଦୁଇ ଦଳ ନିଜର ପ୍ରଥମ ୩ଟି ମ୍ୟାଚ୍ ଜିତିଛନ୍ତି। ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡ୍ସଠୁ ହାରିଥିଲେ ହେଁ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅପରିବର୍ତ୍ତିତ ରହିଛି। ଚତୁର୍ଥରେ ପାକିସ୍ତାନ, ପଞ୍ଚମରେ ଇଂଲଣ୍ଡ ଏବଂ ଷଷ୍ଠରେ ଆଫଗାନିସ୍ତାନ ରହିଛି। ସପ୍ତମ ସ୍ଥାନରେ ବାଂଲାଦେଶ ରହିଛି। ଇଂଲଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ, ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ୍ସ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଦୁଇଟି ଲେଖାଏଁ ମୟାଚ୍ ଜିତିଛନ୍ତି।

ଧର୍ମଶାଳାରେ ମଙ୍ଗଳବାର ଖେଳାଯାଇଥିବା ବିଶ୍ଵକପର ଏକ ମୁକାବିଲାରେ ଅନଭିଜ୍ଞ ନେଦରଲ୍ୟାଣ୍ଡ୍ସ ଦଳ ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀଦଳକୁ ହରାଇ କ୍ରିକେଟ୍ ଜଗତକୁ ବିସ୍ମିତ କରିବା ସହ ଇତିହାସ ରଚିଛି। ବର୍ଷା ଯୋଗୁଁ ଖେଳା ଯାଇଥିବା ୪୩ ଓଭରରେ ନେଦରଲ୍ୟାଣ୍ଡ୍ସ ୨୪୫ ରନ କରିଥିଲା। ଅଧିନାୟକ ସ୍କଟ୍ ଏଡଓ୍ଵାର୍ଡ୍ସ ୭୮ ରନର ଦମଦାର ଇନିଂସ ଖେଳିଥିବା ବେଳେ ରଏଲଫ ଭାନ ଡର ମରଓ୍ଵି ୨୯ ରନ ଓ ଆର୍ୟନ ଦତ୍ତଙ୍କ ବିସ୍ଫୋରକ ୨୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପାରି ୪୨.୫ ଓଭରରେ ୨୦୭ ରନରେ ଅଲଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ୍ ମିଲର ସର୍ବାଧିକ ୪୩ ରନ ଓ କେଶବ ମହାରାଜ ୪୦ ରନ  କରିଥିଲେ।