Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ମେଡିକାଲ୍ ରିପୋର୍ଟ ଜାରି କଲା ବିସିସିଆଇ

ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି। ବାଂଲାଦେଶ ମ୍ୟାଚରେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତେଣୁ ସେ ଆଜି ଭାରତୀୟ ଦଳ ସହ ଧର୍ମଶାଳା ଯାତ୍ରା କରିବେ ନାହିଁ। ପାଣ୍ଡ୍ୟା ସିଧାସଳଖ ଲକ୍ଷ୍ନୌରେ ଭାରତୀୟ ଦଳ ସହ ଯୋଗ ଦେବେ। ଏଠାରେ ରୋହିତ ବାହିନୀ ଇଂଲଣ୍ଡ ସହ ମ୍ୟାଚ୍ ଖେଳିବ।

ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଓଭର ବୋଲିଂ କରିବା ସମୟରେ ହାର୍ଦ୍ଦିକ ତୃତୀୟ ବଲରେ ଚୌକାକୁ ରୋକିବା ପ୍ରୟାସରେ ତଳେ ଖସି ଆହତ ହୋଇଥିଲେ। ପଡ଼ିଆରେ ଫିଜିଓ ଟେପିଂ ଓ ଗରମ ପଟି ବାନ୍ଧି ଥିଲେ ହେଁ ପାଣ୍ଡ୍ୟାଙ୍କୁ ଉପଶମ ମିଳି ପାରି ନ ଥିଲା। ତାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା। ପାଣ୍ଡ୍ୟାଙ୍କ ଅବଶିଷ୍ଟ ଓଭର ବିରାଟ କୋହଲି ପୂରଣ କରିଥିଲେ। ପାଣ୍ଡ୍ୟାଙ୍କୁ ସ୍କାନ ପାଇଁ ହସ୍ପିଟାଲ ନିଆଯାଇଥିଲା।

ବିସିସିଆଇ ପାଣ୍ଡ୍ୟାଙ୍କୁ ନେଇ ସଦ୍ୟତମ ସୂଚନା ଦେଇଛି। ସେଥିରେ କୁହାଯାଇଛି ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ। ତାଙ୍କର ବାମ ଗୋଡ଼ର ଆଙ୍କଲରେ ଆଘାତ ଲାଗିଛି। ତାଙ୍କର ସ୍କାନ କରାଯାଇଛି ଏବଂ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ବିସିସିଆଇର ଡାକ୍ତରୀ ଦଳଙ୍କ ନଜରରେ ରହିବେ। ହାର୍ଦ୍ଦିକ ଅକ୍ଟୋବର ୨୦ରେ ଭାରତୀୟ ଦଳ ସହିତ ଧର୍ମଶାଳା ଯିବେ ନାହିଁ। ସେ ସିଧାସଳଖ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଲକ୍ଷ୍ନୌରେ ଦଳ ସହ ଯୋଗ ଦେବେ। ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ପୁଣେରେ ମ୍ୟାଚ୍ ଖେଳା ଯାଇଥିଲା। ଉକ୍ତ ମୁକାବିଲାକୁ ଭାରତ ୭ ଓ୍ଵିକେଟରେ ଜିତି ନେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ