ନୂଆଦିଲ୍ଲୀ: ଶ୍ରୀଲଙ୍କା ଗୁରୁବାର ଖେଳା ଯାଇଥିବା ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୮ ଓ୍ଵିକେଟରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ପ୍ରାୟତଃ ବାହାରର ରାସ୍ତା ଦେଖାଇଛି। ଇଂଲଣ୍ଡର ବର୍ତ୍ତମାନ ବିଶ୍ଵକପ୍ ୨୦୨୩ର ସେମି ଫାଇନାଲରେ ପହଞ୍ଚିବା ଆଶା ବହୁତ କ୍ଷୀଣ ରହିଛି। ଇଂଲଣ୍ଡର ନାମ ସେହି ୩ ଦଳ ସହ ଯୋଡ଼ି ହୋଇ ଯାଇଛି, ଯେଉଁମାନେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୦ ପଏଣ୍ଟରେ ପହଞ୍ଚି ପାରିବେ। ଇଂଲଣ୍ଡ ପୂର୍ବରୁ ବାଂଲାଦେଶ ଓ ନେଦରଲ୍ୟାଣ୍ଡ୍ସର ଅବସ୍ଥା ମଧ୍ୟ ସମାନ ରହିଛି। ଏହି ତିନୋଟି ଦଳ ବିଶ୍ଵକପ୍ ୨୦୨୩ର ପଏଣ୍ଟ ଟେବୁଲରେ ନିମ୍ନ-୩ରେ ରହିଛନ୍ତି। ଏବେ ସେମି ଫାଇନାଲ୍ ଦୌଡ଼ରେ ୭ଟି ଦଳ ରହିଛନ୍ତି।
ଇଂଲଣ୍ଡର ସେମି ଫାଇନାଲରେ ପହଞ୍ଚିବାର ସମୀକରଣ
ଇଂଲଣ୍ଡକୁ ସର୍ବପ୍ରଥମେ ନିଜର ଅବଶିଷ୍ଟ ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ, ଫଳରେ ଦଳର ପଏଣ୍ଟ ୧୦ ହୋଇ ପାରିବ। ଦଳର ପରବର୍ତ୍ତୀ ୪ ମ୍ୟାଚ୍ ଭାରତ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ୍ସ ଓ ପାକିସ୍ତାନ ସହ ରହିଛି।
ଏହା ବ୍ୟତୀତ ଦଳ ଏହି ପ୍ରାର୍ଥନା କରିବ ଯେ, ନ୍ୟୁଜିଲାଣ୍ଡ ନିଜର ଆଗାମୀ ୪ଟି ମ୍ୟାଚରେ ପରାଜିତ ହେଉ ଏବଂ ଦଳ ୮ ପଏଣ୍ଟରେ ଅଟକି ଯାଉ।
ଭାରତ ନିଜର ୪ଟି ମ୍ୟାଚରୁ ୩ଟି ଜିତୁ ଏବଂ ଇଂଲଣ୍ଡଠୁ ଏକ ମାତ୍ର ମ୍ୟାଚ୍ ହାରୁ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଭାରତ ବ୍ୟତୀତ ସମସ୍ତ ଦଳକୁ ପରାସ୍ତ କରୁ। ଏମିତି ହେଲେ ଭାରତ ୧୬ ପଏଣ୍ଟ ଓ ଦକ୍ଷିଣ ଆଫ୍ରିକା ୧୪ ପଏଣ୍ଟ ସହ ଟପ୍-୨ରେ ରହିବେ।
ସେହିପରି ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ହରାଉ, ମାତ୍ର ନିଜର ଅବଶିଷ୍ଟ ମ୍ୟାଚରେ ପରାଜିତ ହେଉ। ଅନ୍ୟପଟେ ଆଫଗାନିସ୍ତାନ ନେଦରଲ୍ୟାଣ୍ଡ୍ସ ଓ ଅଷ୍ଟ୍ରେଲିଆକୁ ମାତ୍ ଦେଉ। ଏମିତି ହେଲେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ୮-୮ ପଏଣ୍ଟରେ ପହଞ୍ଚି ପାରିବେ।
ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ହରାଉ, ପୁଣି ପାକିସ୍ତାନ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହେଉ। ଏମିତି ହେଲେ ଶ୍ରୀଲଙ୍କା ଓ ପାକିସ୍ତାନର ସର୍ବାଧିକ ପଏଣ୍ଟ ୮ରେ ପହଞ୍ଚିବ। ଆଉ ଇଂଲଣ୍ଡ ୧୦ ପଏଣ୍ଟ ସହ ସେମି ଫାଇନାଲରେ ପହଞ୍ଚିବ।
ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତ ୧୦ ପଏଣ୍ଟ ସହ ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ୮ ଲେଖାଏ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।
ସେମି ଫାଇନାଲ୍ ଦୌଡ଼ରେ ଥିବା ସାତଟି ଦଳ ହେଉଛନ୍ତି ଭାରତ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ତାନ ଓ ଆଫଗାନିସ୍ତାନ।