Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସିପି କହିଲେ –ଟିଉସନ ପାଇଁ ତଣ୍ଟି କାଟି ଦେଲା ଦୁର୍ବୃତ୍ତ, ମୃତକ ବାପାଙ୍କ ଦାବି ସିବିଆଇ ତଦନ୍ତ କରାଯାଉ

ଭୁବନେଶ୍ଵର: ଜଟଣୀ ବେଣାପଞ୍ଜରୀରେ ଘରେ ପଶି ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଟିଉସନ ଫି ପାଇଁ ନାବାଳକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି। ଅନ୍ୟପଟେ ମୃତକ ଛାତ୍ରଙ୍କ ବାପା ଡିସିପିଙ୍କ ବୟାନକୁ ଗ୍ରହଣ କରି ପାରି ନାହାନ୍ତି। ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ସେ କହିଛନ୍ତି, ମୃତ ନାବାଳକର ବାପା ବାପା, ମାଆ ଟିଉସନ କରନ୍ତି। ହତ୍ୟା କରିଥିବା ଯୁକ୍ତ ୨ ଛାତ୍ର ଜଣକ ସେଠାରେ ଟିଉସନ ହେଉଥିଲେ। ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ ଫି ବାକି ରହିଥିଲା। ବାକି ଟଙ୍କା ଦେବାକୁ ତାକୁ ବାରମ୍ବାର କହୁଥିଲେ ଟିଉସନ ସାର। ଏହାକୁ ନେଇ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଅଭିଯୁକ୍ତ। କାଲି ସନ୍ଧ୍ୟାରେ ନାବାଳକ ଜଣକ ଘରେ ପଢୁଥିବା ସମୟରେ ଅଭିଯୁକ୍ତ ଛାତ୍ରଜଣକ ଘରେ ପଶି ଛୁରିରେ ଆକ୍ରମଣ କରିଥିଲା। ଘଟଣା ପରେ ପୋଲିସ ସେଠାରୁ ଗୋଟିଏ ବ୍ୟାଗ୍ ଓ ୟୁନିଫର୍ମ ପାଇଥିଲା। ସେହି ସୁରାକ ଆଧାରରେ କାଲି ଅଭିଯୁକ୍ତ ଛାତ୍ରକୁ ଧରା ଯାଇଛି। ଅଭିଯୁକ୍ତ ଛାତ୍ରଜଣକ ହତ୍ୟା କରିଥିବା ସ୍ଵୀକାର କରିଛି। ବାରମ୍ବାର ପଇସା ମାଗିବାରୁ ସେ ଏଭଳି କରିଥିବା କହିଛି।

ଡିସିପିଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରିଲେନି ମୃତ ଛାତ୍ରଙ୍କ ବାପା। ମୃତ ନବମ ଶ୍ରେଣୀ ଛାତ୍ରଙ୍କ ବାପା ମନୋଜ ପାଲଟା ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି, ସଂପୃକ୍ତ ଛାତ୍ରକୁ ମୁଁ କେବେ ଟିଉସନ ଫି ମାଗି ନାହିଁ। ଦୂର ସଂପର୍କୀୟ ଚିହ୍ନା ପରିଚିତ ହୋଇଥିବାରୁ କେବେ ବି ଟଙ୍କା ମାଗିନି। ସୁପାରୀ ଦେଇ ମୋ ପୁଅକୁ ହତ୍ୟା କରାଯାଇଛି। ସାମାନ୍ୟ ୩ ହଜାର ଟଙ୍କା ପାଇଁ ମୋ ପୁଅକୁ ସେ ମାରିଥିବା ବିଶ୍ଵାସ ହେଉଛି କି ? ଡିସିପି ଯାହା କହୁଛନ୍ତି, ମୁଁ ତାକୁ ଆଦୌ ଗ୍ରହଣ କରିପାରୁନି। ଘଟଣାରେ ଏକାଧିକ ସଂପୃକ୍ତ ଅଛନ୍ତି। ତେଣୁ ସିବିଆଇ ତଦନ୍ତ କରାଯାଉ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଘରେ ପଶି ନାବାଳକକୁ ହତ୍ୟା କରିବାର ଚାଞ୍ଚଲ୍ୟକର ଘଟଣା ଖୋର୍ଦ୍ଧା ବେଣାପଞ୍ଜୁରୀ ଗ୍ରାମରେ ଘଟିଛି। ଗ୍ରାମର ମନୋଜ ପାଲଟାସିଂହଙ୍କ ୧୪ ବର୍ଷର ପୁଅ ଶୁଭମ ସ୍ଵରୂପକୁ ଜଣେ ଦୁର୍ବୃତ୍ତ ଘରେ ପଶି ଛୁରୀରେ ଆକ୍ରମଣ କରିଥିଲା। ଦୁର୍ବୁତ୍ତ ତାଙ୍କର ବେକ, ଛାତିକୁ ତିନି ଥର ଛୁରୀରେ ଆକ୍ରମଣ କରିଥିଲେ ଯେଉଁଥିଲେ ପିଲାଟିର ମୃତ୍ୟୁ ହୋଇଛି। ମୃତ ଶୁଭମ ଶଣ୍ଢପୁର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ।