ବର୍ଷା ଅଭାବରୁ ଉଜୁଡିଗଲା ଧାନ କ୍ଷେତ, କୃଷକ ଆଖିରେ ଲୁହ


ବେଲଗୁଣ୍ଠା, 06/11, ଆଉ ମାତ୍ର ଅଳ୍ପ କେଇଟା ଦିନ ପରି କୃଷକ ନିଜ ଜମିରୁ ଅମଳ କରିଥାଆନ୍ତା ସୁନାର ଫସଲ I କିନ୍ତୁ ବିଚରା ଚାଷୀର ସବୁ ସ୍ଵପ୍ନ ଆଜି ସ୍ଵପ୍ନରେ ରହି ଯାଇଛି I ବର୍ତ୍ତମାନ ବର୍ଷା ଅଭାବରୁ ଧାନ ଫସଲର ସ୍ଥିତି ଯାହା, ନିଜ ପରିବାରର ବର୍ଷକର ଖାଦ୍ୟ ପାଇଁ ନିଅଣ୍ଟ I ଏଭଳି ପରିସ୍ଥିତିରେ ଚାଷୀ କିପରି ସାର,ବିହନ ଏବଂ ମୂଲିଆ ଖର୍ଚ୍ଚ ପୂରଣ କରିବ, ସେନେଇ ଦୁଶ୍ଚିନ୍ତା ଭିତରେ ଦିନ କାଟୁଛନ୍ତି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଧାନ ଚାଷୀ ମାନେ I ଚଳିତ ବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ହିଁ ଅଭାବୀ ବର୍ଷା ଯୋଗୁଁ ବେଲଗୁଣ୍ଠା ବ୍ଳକ୍ ର ଧାନ ଚାଷୀମାନେ ବିଚଳିତ ହୋଇପଡ଼ିଥିଲେ I ସେହି ସମୟରେ କଷ୍ଟେମଷ୍ଟେ ଧାନ ରୋଇଥିଲେ ଥିଲେ ମଧ୍ୟ ଗତ ଅଗଷ୍ଟ ମାସରୁ ବର୍ଷା ସମ୍ପୂର୍ଣ୍ଣରୂପେ ଉଭାନ ହୋଇଯାଇଥିବା ଯୋଗୁଁ ଚାଷୀମାନେ ହତାଶ ହୋଇପଡିଛନ୍ତି I ବେଲଗୁଣ୍ଠା ବ୍ଳକ୍ ର ଅଧିକାଂଶ ଜମିରେ ଜଳ ସେଚନର ସୁବିଧା ନଥିବା ବେଳେ ବର୍ଷା ଅଭାବ ଯୋଗୁଁ ବିଭିନ୍ନ ଜଳ ଭଣ୍ଡାର ମଧ୍ୟ ଖାଲି ପଡ଼ିଥିବା ଯୋଗୁଁ ଧାନ କ୍ଷେତ ଗୁଡିକ ଜଳ ସେଚନରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛି I ଫଳରେ ବ୍ଳକ୍ ର ଅଧିକାଂଶ ପଂଚାୟତରେ ଧାନ ଫସଲ ସମ୍ପୂର୍ଣ୍ଣ ଶୁଖି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି I କେବଳ ଧାନ ଫସଲ ନୁହେଁ, ବର୍ଷା ନହେବା ଯୋଗୁଁ ପନିପରିବା ଫସଲ ଉପରେ ମଧ୍ୟ ଏହାର କୁପ୍ରଭାବ ଦେଖିବାକୁ ମିଲିଛି I ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମର ନିଜ ନଷ୍ଟ ହୋଇଯାଇଥିବା ଫସଲକୁ ଦେଖି କାନ୍ଦୁଥିବା ଦେଖିବାକୁ ମିଳିଛି I ଏପରିକି କିଛି ଚାଷୀ ପାଖ ନାଳ ଝରଣାରୁ ନିଜ ଜମି ରେ ପାଣି ମଡାଇବା ପାଇଁ ରାତି ଅଧରେ ମଧ୍ୟ ଜମିକୁ ଯାଇ ମୃତ୍ୟୁ ସହ ଲଢେଇ କରୁ୍ଥିବା ଦେଖିବାକୁ ମିଳିଛି I ପ୍ରକାଶ ଥାଉକି ବେଲଗୁଣ୍ଠା ବ୍ଳକ୍ ପାଲକଷଣ୍ଢା ଗ୍ରାମର ଶିବରାମ ସ୍ଵାଇଁ ନାମକ ଜନୈକ ଧାନ ଚାଷୀ ସନ୍ଧ୍ୟା ସମୟରେ ନିଜ ଜମିକୁ ପାଖ ନାଳରୁ ପାଣି ମଡାଇବା ପାଇଁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I ଏପଟେ ପାଣି ଅଭାବରୁ ଧାନ ଫସଲ ନଷ୍ଟ ସାଙ୍ଗକୁ ଆରପଟେ ନିଜ ଚିକିତ୍ସା ପାଇଁ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ କରିସାରିଥିବା ଯୋଗୁଁ ଶିବରାମ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି I କେବଳ ଶିବରାମ ନୁହେଁ ବେଲଗୁଣ୍ଠା ବ୍ଲକ୍ ର ପ୍ରାୟ ନବେ ପ୍ରତିଶତ ଚାଷୀଙ୍କର ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି I କିନ୍ତୁ ଚାଷୀମାନଙ୍କର ଏହି ଦୂର୍ଦ୍ଦଶା ସମୟରେ ସ୍ଥାନୀୟ ପ୍ରଶାସନ ଗଭୀର ନିଦରେ ଶୋଇ ରହିଥିବା ଦେଖିବାକୁ ମିଳିଛି I ତେଣୁ ତୁରନ୍ତ ବେଲଗୁଣ୍ଠା ବ୍ଲକ୍ କୁ ଏକ ମରୁଡି ପ୍ରଭାବିତ ବ୍ଳକ୍ ଭାବେ ଘୋଷଣା କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି I

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।