Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରୋଟୋକଲ ଭାଙ୍ଗିଲେ ରାଜ୍ୟପାଳ, କାହିଁକି ନବୀନ ନିବାସ ଯାଇଥିଲେ ସ୍ପଷ୍ଟ କରନ୍ତୁ: କଂଗ୍ରେସ

ଭୁବନେଶ୍ଵର: ଶପଥ ନେବାର ୧୦ ଦିନ ନ ପୂରୁଣ ବିବାଦରେ ଛନ୍ଦି ହୋଇଛନ୍ତି ଓଡ଼ିଶାର ନୂତନ ରାଜ୍ୟପାଳ ରଘୁବର ଦାସ। ସେ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ କରିଛନ୍ତି ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। ସେ କହିଛନ୍ତି ରାଜ୍ୟପାଳ ନବୀନ ନିବାସକୁ ଯିବା ଦ୍ଵାରା ପ୍ରୋଟୋକଲ ଭଙ୍ଗ ହୋଇଛି। ରାଜ୍ୟପାଳ କାହିଁକି ଯାଇଥିଲେ, ତାହା ସ୍ପଷ୍ଟ କରନ୍ତୁ।

ପଞ୍ଚାନନ କହିଛନ୍ତି ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ। ଏମିତି କେଉଁ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ଦେବାକୁ ନବୀନ ନିବାସ ଯାଇଥିଲେ ତାହା ରାଜ୍ୟପାଳ ସ୍ପଷ୍ଟ କରନ୍ତୁ। ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଦେବାକୁ ଯାଇଥିଲେ ନା ଦୀପାବଳି ଭେଟି ଦେବାକୁ ଯାଇଥିଲେ। ନା ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି, ସେଥିପାଇଁ ଦେଖା କରିବାକୁ ଯାଇଥିଲେ ? ଏହି ତିନୋଟିରୁ କେଉଁଟି ଠିକ୍, ତାହା ରାଜ୍ୟପାଳ ସ୍ପଷ୍ଟ କରନ୍ତୁ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି। ପଞ୍ଚାନନଙ୍କ ଏହି ଅଭିଯୋଗ ନେଇ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।

ସୂଚନାଯୋଗ୍ୟ, ରାଜଭବନ ଯାଇ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା କଥା। ରାଜ୍ୟପାଳ ରାଜ୍ୟରେ ସବୁଠୁ ସାମ୍ବିଧାନିକ ସର୍ବୋଚ୍ଚ ପଦରେ ଅଛନ୍ତି। ସେ ଓଲଟା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଏହା କେଉଁ ସନ୍ଦେଶ ଦେଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରାଜ୍ୟପାଳ ନିଜର ଗରିମା କ୍ଷୁର୍ଣ୍ଣ କରୁଥିବା ଏଥିରୁ ପ୍ରତୀତମାନ ହେଉଛି। ଏମିତି ବିରଳ ଦୃଶ୍ୟ ଓଡ଼ିଶାରେ ହିଁ ଦେଖିବାକୁ ମିଳିଛି।

ଉଲ୍ଲେଖନୀୟ, ରଘୁବର ଦାସ ଅକ୍ଟୋବର ୩୧ ତାରିଖରେ ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ପରେ ସେ ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକ କରିଥିଲେ। ପୁଣି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ।