ମୁମ୍ବାଇ: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଭାରତର ଦମଦାର ବିଜୟ। ବିରାଟ କୋହଲିଙ୍କ ଐତିହାସିକ ଶତକ ଓ ଶ୍ରେୟସ ଆୟଙ୍କ ବିସ୍ଫୋରକ ଶତକ ପରେ ଶାମିଙ୍କ ସୁନାମୀରେ ନ୍ୟୁଜିଲାଣ୍ଡ ଧରାଶାୟୀ। ବିଜୟ ସହ ନକଆଉଟ୍ କଳଙ୍କକୁ ପୋଛି ପାରିଛି ଭାରତୀୟ ଦଳ। କିଓ୍ଵି ଦଳକୁ ୭୦ ରନରେ ହରାଇ ୨୦୧୯ ବିଶ୍ଵକପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ। ୧୨ ବର୍ଷ ପରେ ଫାଇନାଲରେ ପହଞ୍ଚି ବିଶ୍ଵକପ୍ ଟ୍ରଫି ଜିତିବାରେ ଆଉ ଗୋଟିଏ ପାଦ ଦୂରରେ ରୋହିତ ବାହିନୀ। ମୋଟାମୋଟି ଚତୁର୍ଥ ଥର ଦିନିକିଆ ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି ଭାରତ। କିଓ୍ଵି ଦଳର ୭ ବ୍ୟାଟରଙ୍କୁ ପାଭିଲିୟନ ପଠାଇ ଭାରତୀୟ ବିଜୟରେ ବିନ୍ଧାଣି ସାଜିଛନ୍ତି ମହମ୍ମଦ ଶାମି।
ବୁଧବାର ଓ୍ଵାଙ୍ଖେଡ଼େରେ ଖେଳା ଯାଇଥିଲା ୨୦୨୩ ବିଶ୍ଵକପର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବିରାଟ କୋହଲିଙ୍କ ୫୦ତମ ଶତକ, ଶ୍ରେୟସ ଆୟରଙ୍କ ୧୦୫ ରନ ଓ ଶୁଭମନ ଗିଲଙ୍କ ୮୦ ରନ ବଳରେ ୪ ଓ୍ଵିକେଟ୍ ହରାଇ ୩୯୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଡାରିଲ ମିଚେଲଙ୍କ ୧୩୪ ରନ ଓ କେନ୍ ଓ୍ଵିଲିୟମସନଙ୍କ ୬୯ ରନ ସତ୍ତ୍ଵେ ୪୮.୫ ଓଭରରେ ୩୨୭ ରନରେ ଅଲଆଉଟ୍ ହୋଇଥିଲା ନ୍ୟୁଜିଲାଣ୍ଡ। ମହମ୍ମଶ ଶାମି ଘାତକ ବୋଲିଂ କରି ୫୭ ରନରେ ୭ ଓ୍ଵିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେ ଚଳିତ ବିଶ୍ଵକପର ତୃତୀୟ ଥର ୫ ଓ୍ଵିକେଟ୍ ନେବାର ରେକର୍ଡ କରିଛନ୍ତି। ଏକଦା ବିଜୟ ଆଡ଼କୁ ଅଗ୍ରସର ହେଉଥିବା ନ୍ୟୁଜିଲାଣ୍ଡକୁ ଡବଲ ଝଟକା ଦେଇ ଭାରତ ଆଡ଼କୁ ମ୍ୟାଚର ମଙ୍ଗ ଟାଣିଥିଲେ ଶାମି। ତାଙ୍କ ଘାତକ ବୋଲିଂର କୌଣସି ଜବାବ ନ୍ୟୁଜିଲାଣ୍ଡ ପାଖରେ ନ ଥିଲା।
ପ୍ରଥମ ଥର ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ଵାଧୀନ ଭାରତୀୟ ଟିମ୍ ବିଶ୍ଵକପ୍ ଟାଇଟଲ୍ ଜିତିଥିଲା । ଏହାପରେ ବିଶ୍ଵକପ୍ ୨୦୦୩ ବିଶ୍ଵକପ୍ ଫାଇନାଲରେ ପହଞ୍ଚିଥିଲା ଭାରତୀୟ ଦଳ । ହେଲେ ଟାଇଟଲ୍ ଜିତିପାରି ନ ଥିଲା ସୌରଭ ବାହିନୀ। ଆଉ ୨୮ ବର୍ଷ ବିଶ୍ଵକପ୍ ଟ୍ରଫି ମରୁଡ଼ିର ଅନ୍ତ ଘଟାଇ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଦ୍ଵିତୀୟ ବିଶ୍ଵକପ୍ ଟାଇଟଲ୍ ଜିତିଥିଲା ।
୨୦୧୫ ଓ ୨୦୧୯ ଫାଇନାଲରେ ଭାରତ ସେମି ଫାଇନାଲରେ ପହଞ୍ଚିଥିଲେ ହେଁ ନକଆଉଟରେ ଝୁଣ୍ଟିଥିଲା। ୨୦୧୫ରେ ଅଷ୍ଟ୍ରେଲିଆଠୁ ଓ ୨୦୧୯ରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ଵକପରୁ ବିଦା ହୋଇଥିଲା ଭାରତ। ଏଥର ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀ୍ୟ ଦଳ ଦମଦାର ପ୍ରଦର୍ଶନ କରି ବିଶ୍ଵକପ୍ ୨୦୨୩ରେ ବିଶ୍ଵକପ୍ ଫାଇନାଲରେ ପ୍ରବେଶ କରିଛି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଫାଇନାଲରେ ଭାରତ ପାଞ୍ଚର ଥରର ଚାମ୍ପିଅନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳା ଯିବାକୁ ଥିବା ଦ୍ଵିତୀୟ ସେମି ଫାଇନାଲର ବିଜେତାକୁ ଭେଟିବ।