୩ରୁ ଆରମ୍ଭ ମାଟ୍ରିକ ଖାତାଦେଖା


କଟକ: ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା। ଏଥିପାଇଁ ୫୬ ଟି କେନ୍ଦ୍ରରେ ମୂଲ୍ୟାୟନର ବ୍ୟବସ୍ଥା କରାଯାଇଛି। ମୂଲ୍ୟାୟନ ପ୍ରକ୍ରିୟା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି। ମୂଲ୍ୟାୟନରେ ଯେପରି କୌଣସି ବିଭ୍ରାଟ ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ତ୍ରୁଟିଶୂନ୍ୟ ମୂଲ୍ୟାୟନ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି। ଏଥିସହ ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରାୟ ୧୩ ହଜାର ଶିକ୍ଷକ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରୁ ୧୨ହଜାର ୪ଶହ ଖାତାଦେଖା ପାଇଁ ଓ ମୂଲ୍ୟାୟନ ପ୍ରକ୍ରିୟା ଯାଞ୍ଚ୍‌ ପାଇଁ ପୃଥକ ଭାବେ ଆଉ ୬ ଶହ ଶିକ୍ଷକ ନିୟୋଜିତ ହେବେ। ମୂଲ୍ୟାୟନ ବ୍ୟବସ୍ଥାରେ ୫୫ ଜଣ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍‌, ୫୫ କ୍ୟାମ୍ପ ଅଫିସର, ୨୨୦ କ୍ୟାମ୍ପସ୍‌ ଆସିଷ୍ଟାଣ୍ଟ୍‌ ଏବଂ ୧୬୫ ଜଣଙ୍କୁ କ୍ୟାମ୍ପ ଆଟେଣ୍ଡାଣ୍ଟ୍‌ ଭାବେ ନିୟୋଜିତ ହେବେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ବୋର୍ଡର ୱେବ୍‌ସାଇଟ୍‌ରୁ ନିଯୁକ୍ତି ପତ୍ର ଡାଉନ୍‌ଲୋଡ୍‌ କରି ମୂଲ୍ୟାୟନ ପ୍ରକ୍ରିୟାରେ ଶିକ୍ଷକମାନେ ନିୟୋଜିତ ହେବେ। ଏ ନେଇ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମୂଲ୍ୟାୟନରେ ପ୍ରକ୍ରିୟାରେ ଅବହେଳା କରୁଥିବା ଶିକ୍ଷକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।