ଧନକଉଡା ୟୁପିଏଚସିରେ ଫାଷ୍ଟ-ଏଡ(ପ୍ରାଥମିକ ଚିକିତ୍ସା) ତାଲିମ ଶିବିର

ସମ୍ବଲପୁର (ଧନକଉଡା): ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ଆରୋଗ୍ୟ କେନ୍ଦ୍ର(ୟୁପିଏଚସି)ରେ ୨ ଦିନିଆଁ ଫାଷ୍ଟ-ଏଡ(ପ୍ରାଥମିକ ଚିକିତ୍ସା) ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସହରାଞ୍ଚଳ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହି ୨ ଦିନିଆଁ ତାଲିମ ଶିବିରକୁ ସମ୍ବଲପୁର ଜିଲ୍ଲା ରେଡକ୍ରସ ସହଯୋଗ କରିଥିଲେ। ପ୍ରାରମ୍ଭରେ ଏନଏଚୟୁଏମର ଜିଲ୍ଲା ସିପିଏମ ନିକୁରଞ୍ଜନ ପଢିହାରି ଓ ଧନକଉଡା ମେଡିକାଲ ଅଫିସର ଡା. ଦିଲ୍ଲିପ କୁମାର ମୁଦୁଲି ଫାଷ୍ଟ-ଏଡର ଆବଶ୍ୟକତା ନେଇ ସୂଚନା ଦେଇଥିଲେ। ଉଦଘାଟନି ଶିବିରରେ ଜିଲ୍ଲା ରେଡକ୍ରସ ସଂପାଦକ ଜୟ ଜର୍ଜ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରାଥମିକ ଉପଚାର ଜୀବନ ବଞ୍ଚାଇବାର ପ୍ରଥମ ସୋପାନ ବୋଲି କହିଥିଲେ। ୨ ଦିନିଆଁ ତାଲିମ ଶିବରରେ ଜିଲ୍ଲାର ତାଲିମଦାତା ରେଡକ୍ରସ ଆଜୀବନ ସଦସ୍ୟ ପ୍ରମିଳା ବେହେରା ଓ ଡା.ରାଜାରାମ ଷଡଙ୍ଗୀ ଦୂର୍ଘଟଣାରେ ଆହତ ବ୍ୟକ୍ତି,ଜୀବନ ରକ୍ଷାକାରୀ ପ୍ରଣାଳୀ,ପ୍ରାଥମିକ ଚିକିତ୍ସା ବା ସହାୟତା କାର୍ଯ୍ୟ ପ୍ରଣାଳୀ,ଅସ୍ଥିଭଙ୍ଗ,ମାଂସପେଶି ଓ ଖଞ୍ଜାର ଆଘାତ,ବିଷକ୍ରିୟା,ପୋଡାଘା, ସାପ,କୁକୁର,ବିରୁଡି କାମୁଡା, ଆହାତ ବ୍ୟକ୍ତିର ସ୍ଥାନାନ୍ତରୀକରଣ,ସମୂହ ଆହତ ବ୍ୟକ୍ତିଙ୍କ ଉପଚାର,ସ୍ନାୟବିକ ପ୍ରଣାଳୀ ଓଚେତନାହାନୀ,ସକ୍,କ୍ଷତ ଓ ରକ୍ତସ୍ରାବ,ଶ୍ୱାସରୁଦ୍ଧ ପ୍ରଭୃତି ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ଡା.ମୁଦୁଲି ମଧ୍ୟ ସହଯୋଗ କରିଥିଲେ। ଏହି ଶିବିରରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଫାଷ୍ଟ-ଏଡ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଡିପିଏଚଓ ଡା.ପ୍ରଦୀପ କୁମାର ହୋତା ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ ।ଏହାକୁ ପିଏଚଏମ ଦିଲ୍ଲୀପ କମାର ନନ୍ଦ ପରିଚାଲନାରେ କରିଥିଲେ।