ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଶୀଘ୍ର ହେବ ଟିମ୍ ଇଣ୍ଡିଆ ଘୋଷଣା, କିଏ ହେବ ଅଧିନାୟକ ?


ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୦ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦, ଦିନିକିଆ ଓ ଟେଷ୍ଟ ସିରିଜ୍ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାହାରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲଙ୍କୁ ଟି-୨୦ ମ୍ୟାଚର ଅଧିନାୟକ ଦାୟିତ୍ଵ ଦିଆଯାଇପାରେ। ରାହୁଲଙ୍କୁ ନେଇ ଏକ ପ୍ରମୋ ମଧ୍ୟ ପ୍ରସ୍ତୁତ କରାଯାଇଛି। ରୋହିତ ଶର୍ମାଙ୍କୁ ଦିନିକିଆ ଓ ଟେଷ୍ଟ ସିରିଜର ଦାୟିତ୍ଵ ଦିଆଯାଇପାରେ। ରୋହିତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଥିଲା।

ବିସିସିଆଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ସିରିଜ୍ ପାଇଁ ଶୀଘ୍ର ଦଳ ଘୋଷଣା କରିବ। ଦଳରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବିରାଟ କୋହଲି ଟି-୨୦ ଓ ଦିନିିଆ ମ୍ୟାଚ୍ ଖେଳିବାକୁ ମନା କରି ଦେଇଛନ୍ତି। ପାଣ୍ଡ୍ୟା ଆହତ କାରଣରୁ ବାହାରେ ଅଛନ୍ତି। ତେଣୁ କେଏଲ ରାହୁଲଙ୍କୁ ଟି-୨୦ ଦଳର ଅଅଧିନାୟକ କରାଯାଇପାରେ। ଆଉ ରୋହିତଙ୍କ ଦଳରୁ ପ୍ରତ୍ୟାବର୍ତ୍ତନ ଘଟିପାରେ।

ସୂଚନା ଅନୁଯାୟୀ, ଆଜି ବିସିସିଆଇ ସଚିବ ଜୟ ଶାହ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମଧ୍ୟରେ ଦିଲ୍ଲୀରେ ସାକ୍ଷାତ ହୋଇପାରେ। ଏଥିରେ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ଆଗାମୀ ଟି-୨୦ ବିଶ୍ଵକପର ବ୍ଲୁ ପ୍ରିଣ୍ଟ ଉପରେ ଆଲୋଚନା ହୋଇପାରେ।

ଅନ୍ୟପଟେ କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିପାରେ। ଚେତେଶ୍ଵର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିବାର ସମ୍ଭାବନା କମ ରହିଛି। ଭାରତୀୟ ଦଳର ବୋଲିଂରେ ଅନେକ ପରିବର୍ତ୍ତନ ହୋଇପାରେ। ଯଶପ୍ରୀତ ବୁମରା ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କ ସହିତ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଦ୍ରୁତ ବୋଲିଂର ଦାୟିତ୍ଵ ସମ୍ଭାଳି ପାରନ୍ତି। ରବୀନ୍ଦ୍ର ଜାଡ଼େଜାଙ୍କୁ ଅଲରାଉଣ୍ଡର ଭାବେ ପ୍ରାଥମିକତା ମିଳିପାରେ।