କଳାହାଣ୍ଡି, ୩୦/୧୧ (ଜଗନ୍ନାଥ ନାଏକ) : ଗତକାଲି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ନିକଟସ୍ଥ କନ୍ଧେନ ଜୋରରେ ଏକ ବାଇକ ଚାଳକ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇକ ଚାଳକ ଜଣକ ହେଲେ ଖମାରହଳଦୀ ଗ୍ରାମର ରମଣୀ ନିଆଲ (୨୬) । ସେ ଗତକାଲି ତାଙ୍କ ଶ୍ୱଶୁର ଘର ଟିଙ୍ଗିପଦର ଗ୍ରାମକୁ ନିଜ ବାଇକ ହୋଣ୍ଡା ଲିଭୋ ଓଡ଼ି୦୮ ଏଳ ୮୦୪୫ ଯୋଗେ ଆସିଥିଲେ । ସେଠାରୁ ଫେରୁଥିବାବେଳେ ଦଶପୁର ନିକଟସ୍ଥ କନ୍ଧେନ ଜୋର ବ୍ରିଜ ଉପରେ ତାଙ୍କୁ ପଛପଟୁ ଏକ ଅଜଣା ବାଇକ ପିଟିଦେଇଥିଲେ । ରମଣୀ ନିଆଲ ଭାରସାମ୍ୟ ହରାଇ ବ୍ରିଜରୁ ତଳେ ପଡିଯାଇଥିଲେ । ଦୁର୍ଘଟଣାର ଖବର ପାଇ ଦଶପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ ସାହୁ ପହଞ୍ଚି ଉଦ୍ଧାର କରିଥିଲେ । ପରେ ଦଶପୁର ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀ ଓ ଗୁରୁତର ପରିବାରଙ୍କୁ ଜଣାଇଥିଲେ । ଖବର ପାଇ ନିଜ ପରିବାର ଲୋକ ପହଞ୍ଚିଥିବାବେଳେ ଦଶପୁର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ନିଆଯାଇଥିଲା । ସେଠାରେ ଅତି ଗୁରୁତର ହେବାରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁ ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ପହଞ୍ଚି ଶବଟିକୁ ଜବତ କରିଥିଲେ । ଦଶପୁର ପୋଲିସ କେଶ ନଂ ୨୦୧/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । କନ୍ଧେନ ଜୋର ବ୍ରିଜର ସୁରକ୍ଷା ବାଡ଼ ନ ଥିବାରୁ ଏପରି ଅନେକ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ଦୃଷ୍ଟି ଆକର୍ଷଣ କରି ନୂତନ ବ୍ରିଜ ନିର୍ମାଣ କରିବାକୁ ଦଶପୁର ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।