କଳାହାଣ୍ଡି, ୦୧/୧୨ (ଜଗନ୍ନାଥ ନାଏକ) : ଆଜି ସ୍ଥାନୀୟ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଆଇ ସି ଟି ସି (ଏଡ଼ସ) ମିଳିତ ଆନୁକୁଲ୍ୟରେ 36ତମ ବିଶ୍ଵ ଏଡସ ଦିବସ ପାଳନ ହୋଇଯାଇଛି । ଏଡସ ରୋଗର ସଂକ୍ରମଣ ରୋକିବା , ଏଚ ଆଇ ଭି ସଂକ୍ରମିତ ଲୋକକୁ ସମର୍ଥନ ଓ ଏହାର ନିରାକରଣ ଦିଗରେ ବ୍ୟାପକ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଡସ ଦିବସ ସାରା ବିଶ୍ବରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ସଦରମହକୁମା ଡାକ୍ତରଖାନାରୁ ଏକ ଶୋଭାଯାତ୍ରା ବାହାରି ଏଡସ ନିରାକରଣ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ଲାକାର୍ଡ ଧରି ସ୍ଲୋଗାନ ପୂର୍ବକ ସହର ପରିକ୍ରମା କରି ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଜିଲ୍ଲା ରେଡକ୍ରସ ୟୁଥ ( ରେଡ ରିବନ) ସଭ୍ୟ, ସାରଳା ଜି.ଏନ.ଏମ ଟ୍ରେନିଂ ସେଣ୍ଟର୍ , ମାଁ ମାଣିକେଶ୍ବରୀ ସିନିୟର ନର୍ସିଂ ଟ୍ରେନିଂ ସେଣ୍ଟର , ସରକାରୀ ଏ.ଏନ.ଏମ ସେଣ୍ଟର ର ଛାତ୍ରୀ ତଥା ଜୟପ୍ରକାଶ ନାରାୟଣ ସନ୍ଧ୍ୟା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ ।
ରେଡକ୍ରସ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସି.ଡି.ଏମ.ଓ. ଡଃ ସୁଚେତା ପାଣି , ଡେପୁଟି ଜିଲ୍ଲାପାଳ ଶରତ କୁମାର ସାହୁ , ଏ.ଡି.ପି.ଏଚ.ଓ ଡଃ ନିହାରେନ୍ଦ୍ର ପଣ୍ଡା , ଡି.ଆଇ.ପି.ଆର.ଓ ମନୋଜ କୁମାର ବେହେରା ଏବଂ ମୁଖ୍ୟ ବକ୍ତା ତଥା ଶିକ୍ଷାବିତ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ଅତିଥିଗଣ ଏଡସ ମହାମାରୀକୁ ରୋକିବାକୁ ହେଲେ ଏଚ ଆଇ ଭି ସଙ୍କ୍ରମଣକୁ ପ୍ରତିହତରେ ସମସ୍ତ ଉପାୟ ଅବଲମ୍ବନ , ଠିକ ଚିକିତ୍ସା ଓ ଔଷଧ ସେବନ , ଅଧ୍ୟାତ୍ମିକତା ଓ ନୈତିକତା କୁ ପାଥେୟ , ଗୋଷ୍ଠୀରେ ନେତୃତ୍ଵ , ଜୀବନସାଥୀ ପ୍ରତି ବିଶ୍ବସ୍ତତାକୁ ପ୍ରାଧାନ୍ୟ ଦେବାକୁ ଗୁରୁତ୍ଵ ଦେଲେ । ସେଭଳି ଏଡ଼ସ ସମ୍ବନ୍ଧୀୟ ଚିତ୍ରାଙ୍କନ , ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।
ସଭାକୁ ପରିଚାଳନା କରିଥିଲେ ଆଇ.ସି.ଟି.ସି ପରମର୍ଶଦାତା ରାମଚନ୍ଦ୍ର ବସନ୍ତିଆ ଓ ଜ୍ଞାନ ରଞ୍ଜନ ପ୍ରଧାନ , ହିମାଂଶୁ ଓଝା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।