Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୁଇ ଆଇଟି ହବ୍ ରାଜ୍ୟରେ କଂଗ୍ରେସ ଶାସନ, କର୍ଣ୍ଣାଟକ ପରେ ଏବେ ତେଲେଙ୍ଗାନା

ହାଇଦ୍ରାବାଦ: ଗତକାଲି ୪ ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସି ସାରିଛି। ବିଜେପି ୩ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଚମକପ୍ରଦ ବିଜୟ ହାସଲ କରିଛି। ଆଉ କଂଗ୍ରେସ ଶୋଚନୀୟ ପରାଜୟ ଭୋଗି ଛତିଶଗଡ଼ ଓ ରାଜସ୍ଥାନ ନିଜ ହାତରୁ ହରାଇଛି। ଦଳ ପାଇଁ କେବଳ ଗୋଟିଏ ଆଶ୍ଵସ୍ତିକର ତେଲେଙ୍ଗାନା ରହିଛି। କର୍ଣ୍ଣାଟକ ପରେ ଦ୍ଵିତୀୟ ଦକ୍ଷିଣ ଭାରତୀୟ ରାଜ୍ୟ ହିସାବରେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚନ ଜିତି ସରକାର ଗଠନ କରିବାକୁ ଯାଉଛି। ତେବେ ସବୁଠୁ ବଡ଼ ରୋଚକ କଥା ହେଉଛି ଆଇଟି ହବ୍ କିମ୍ବା ସଫଓ୍ଵେର ରାଜ୍ୟରେ କଂଗ୍ରେସ କ୍ଷମତାସୀନ ରହିଛି।

ପ୍ରଥମେ କର୍ଣ୍ଣାଟକରେ ଦଳ ଭଲ ପ୍ରଦର୍ଶନ କରି ବିଜେପିକୁ ହରାଇ କ୍ଷମତାସୀନ ରହିଥିବା ବେଳେ ଏବେ ଦଳ ବିଆରଏସକୁ ହରାଇ ତେଲେଙ୍ଗାନାରେ ସରକାର ଗଢିବାକୁ ଯାଉଛନ୍ତି। ଏହି ଦୁଇ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭାରତର ଆଇଟି ହବ୍ ହିସାବରେ ପରିଚିତ। ଏହା ସହିତ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଅନ୍ୟ ରାଜ୍ୟ ତୁଳନାରେ ସଫ୍ଟଓ୍ଵେର ଇଣ୍ଡଷ୍ଟ୍ରୀ ଅଧିକ ରହିଛି। ଏହି କ୍ଷେତ୍ରରେ କ୍ୟାରିୟର କରିବା ପାଇଁ ଦେଶର କୋଣ ଅନୁକୋଣରୁ ଯୁବପିଢିଙ୍କ ସୂଅ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଛୁଟିଥାଏ। ଆଉ ଏହି ଦୁଇ ରାଜ୍ୟରେ ଏବେ କଂଗ୍ରେସର ସରକାର।

ଦକ୍ଷିଣ ଭାରତକୁ ବାଦ୍ ଦେଲେ ଦେଶର ଅନ୍ୟ ଭାଗରେ କଂଗ୍ରେସର ସ୍ଥିତି ବହୁତ ଶୋଚନୀୟ। ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଦଳର ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି। କର୍ଣ୍ଣାଟକ ଓ ତେଲେଙ୍ଗାନା ପରି ରାଜ୍ୟରେ ସରକାର ଗଢି କଂଗ୍ରେସ କିଛିକାଂଶରେ ନିଜର ସମ୍ମାନ ରକ୍ଷା କରି ପାରିଛି। ଚଳିତ ବର୍ଷ କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକରୁ କଂଗ୍ରେସ ୧୩୯ଟି ସିଟ୍ ଜିତି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାରରେ ରହିଛି। ସିଦ୍ଦରମୈୟା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ଏବେ ତେଲେଙ୍ଗାନାରେ ଦଳ ୧୧୯ଟି ସିଟରୁ ୬୪ଟି ଜିତି ସରକାର ଗଢିବାକୁ ଯାଉଛି। ୩୯ ସିଟ୍ ସହ ଶାସକ ବିଆରଏସ କ୍ଷମତାଚ୍ୟୁତ ହୋଇଛି। କଂଗ୍ରେସ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବ ଏହା ଉପରେ ପାର୍ଟି ହାଇକମାଣ୍ଡ ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି।