ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣି ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡ଼ା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି।