ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ଏବେ ସବୁଠୁ ଅଧିକ ଚର୍ଚ୍ଚା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ହେଉଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି, ଯାହା ସମଗ୍ର କ୍ରିକେଟ୍ ଜଗତକୁ ବିସ୍ମିତ କରିଛି । ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ଆଇପିଏଲ୍ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳର ଅଧିନାୟକ କରିବାକୁ ଚାହୁଁଥିଲା । ଯେମିତି ଖବର ଆସିଲା ଯେ, ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ସହ ଯୋଡିବାକୁ ଚାହୁଁଛି, ଦିଲ୍ଲୀ କ୍ୟାପିଟାଲ୍ସ ରୋହିତ ଶର୍ମାଙ୍କୁ ନିଜ ଦଳରେ ସାମିଲ୍ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରସ୍ତାବ ଦେଇଥିଲା । ଦିଲ୍ଲୀ ଫ୍ରାଂଚାଇଜ ଚାହୁଁଥିଲା ଟ୍ରେଡ୍ ଜରିଆରେ ରୋହିତ ଶର୍ମାଙ୍କୁ ନିଜ ଦଳରେ ସାମିଲ୍ କରିବ । ମାତ୍ର ଏହା ସମ୍ଭବ ହୋଇ ପାରି ନାହିଁ ।
ଦିଲ୍ଲୀ କ୍ୟାପିଟାଲ୍ସ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଡିଲ୍ ଏଥିପାଇଁ ହୋଇ ପାରିଲା ନାହିଁ କାରଣ ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କଂଟ୍ରାକ୍ଟ ରହିଛି । ଏହି କାରଣରୁ ଟ୍ରେଡ୍ ପାଇଁ ରୋହିତ ଉପଲବ୍ଧ ନ ଥିଲେ । ସ୍ପୋର୍ଟ୍ସ ଟୁଡେର ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ଜଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବା ଉଦ୍ଦେଶ୍ୟରେ ଜଣେ ବରିଷ୍ଠ ଖେଳାଳିଙ୍କୁ ଅଧିନାୟକ କରିବାକୁ ଚାହୁଁଥିଲା । ଯେବେ ରୋହିତ ଶର୍ମାଙ୍କ ସହ ଡିଲ୍ ହୋଇ ପାରିଲା ନାହିଁ ତେଣୁ ଦଳ ପନ୍ତଙ୍କୁ ଅଧିନାୟକ ଚୟନ କରିବାକୁ ପଡିଛି ।
ଅନ୍ୟପଟେ ରୋହିତ ଶର୍ମା ବର୍ତମାନ କେବଳ ଜଣେ ଖେଳାଳି ହିସାବରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ । ରୋହିତ ୨୦୨୪ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବେ । ମୁମ୍ବାଇ ହାର୍ଦ୍ଦିକଙ୍କୁ ଗୁଜରାଟ ଟାଇଟନ୍ସ ସହ ଟ୍ରେଡ କରି ନିଜ ଦଳରେ ସାମିଲ୍ କରିଛି । ସେ ଗତ ଦୁଇଟି ସିଜିନରେ ଗୁଜରାଟର ଅଧିନାୟକ ଥିଲେ । ଅଧିନାୟକ ହେବା ସର୍ତରେ ହିଁ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତନ ଘଟିଛି । ଆଉ ମୁମ୍ବାଇ ଇଣ୍ଡିଆନ୍ସ ଆନୁଷ୍ଠନିକ ଭାବେ ହାର୍ଦ୍ଦିକଙ୍କୁ ଅଧିନାୟକ ନିଯୁ୍କ୍ତ କରି ସାରିଛି । ମୁମ୍ବାଇ ଫ୍ରାଂଚାଇଜର ଏହି ନିଷ୍ପତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କୁ କ୍ଷୁବ୍ଧ କରିଛି । ଏହାର ପ୍ରଭାବରେ କେଇ ଘଂଟାରେ ମୁମ୍ବାଇ ଇଣ୍ଡିଆନ୍ସର ଇନଷ୍ଟା ପେଜକୁ ଲକ୍ଷାଧିକ ଅନୁଗାମୀ ଅନଫୋଲ କରିଛନ୍ତି । ଅନେକ ପୂର୍ବତନ ଖେଳାଳି ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ।