ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏହି ସିରିଜରେ ଭାରତୀୟ ଦଳର ଅଧିନାୟକ କିଏ ହେବ ତାହା ସବୁଠୁ ବଡ ପ୍ରଶ୍ନ । ନିକଟରେ କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ସହ ଆଇପିଏଲ ୨୦୨୪ରୁ ମଧ୍ୟ ବାଦ୍ ପଡି ପାରନ୍ତି । ପୁଣି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ନେତୃତ୍ୱ ନେଇଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆହତ ହୋଇଛନ୍ତି । ଏମିତି ସ୍ଥିତିରେ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦଳର ନେତୃତ୍ୱ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ଟାଇମ୍ସ ଅଫ ଇଣ୍ଡିଆର ସଦ୍ୟତମ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ସଂପୂର୍ଣ୍ଣ ମୁକୁଳି ସାରିଛନ୍ତି । ସେ ସିରିଜ୍ ପାଇଁ ଦଳର ଚୟନ ପାଇଁ ଉପଲବ୍ଧ ରହିବେ । ସେ ପ୍ରତିଦିନ ଅଭ୍ୟାସ କରୁଛନ୍ତି । ତାଙ୍କର ଆଇପିଏଲରୁ ବାଦ୍ ପଡିବା ନେଇ ଯେଉଁ ଆଲୋଚନା ଚାଲିଥିଲା ତାହା ମାତ୍ର ଗୁଜବ ଥିଲା । ଆଇପିଏଲ୍ ୨୦୨୪କୁ ପାଖାପାଖି ୪ ମାସ ବାକି ରହିଛି । ଏବେଠୁ କେବଳ ଆକଳନ କରାଯାଉଥିବା ରିପୋର୍ଟରୁ ପ୍ରକାଶ ।
ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଆହତରୁ ସୁସ୍ଥ ହେବା ପାଇଁ ଛଅରୁ ସାତ ସପ୍ତାହ ସମୟ ଲାଗିପାରେ ବୋଲି କୁହାଯାଉଛି । ବର୍ତମାନ ସେ ବ୍ରେକରେ ଅଛନ୍ତି ଏବଂ ଆସନ୍ତା ସପ୍ତାହରେ ସେ ବେଙ୍ଗାଲୁରୁ ଏନସିଏରେ ହାଜର ହେବେ । ଯଦି ହାର୍ଦ୍ଦିକ ଦଳରେ ଉପଲବ୍ଧ ନ ରୁହନ୍ତି ତେବେ ରୋହିତ ଶର୍ମାଙ୍କୁ ଟି-୨୦ ଦଳର ନେତୃତ୍ୱ ନେବା ପାଇଁ ଦଳ ପ୍ରବନ୍ଧକ ପଚାରି ପାରନ୍ତି । ରବୀନ୍ଦ୍ର ଜାଡେଜାଙ୍କ ରୂପେ ଆଉ ଏକ ବିକଳ୍ପ ମଧ୍ୟ ରହିଛନ୍ତି । ଜାଡେଜା ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ଦଳର ଉପ ଅଧିନାୟକ ଥିଲେ ।