ପିହୁ ଅପହରଣ ଘଟଣା: ୪ ଗିରଫ


ଦେବଗଡ଼: ଗତ ୧୮ ତାରିଖ ଦିନ ସଂଧ୍ୟାରେ ଦେବଗଡ ସହରର ଡେଲି ମାର୍କେଟ ଛକ ନିକଟରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ନିଜ ଘର ସମ୍ମୁଖରୁ ପୌରାଚଂଳର ମାର୍କେଟ ଛକରେ ରହୁଥିବା‌ କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ ବାଇକରେ ଆସି ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।ଦେବଗଡ ଆଦର୍ଶ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅପହରଣ ଘଟଣାର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାଞ୍ଚଳରୁ ଅପହୃତା ଶିଶୁ ପିହୁକୁ ଉଦ୍ଧାର କରିଥିଲା ।ଉକ୍ତ ଘଟଣାରରେ ଆଜି ଦେବଗଡ ଥାନା ପୁଲିସ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ ଥାନା ଅନ୍ତର୍ଗତ ନୂଆଗଁା ଗ୍ରାମର ହିମାଂଶୁ ନାରଙ୍ଗ(୨୧), କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ମେଣ୍ଡିପାଲି ଗ୍ରାମର ଦୀପକ ନାଏକ(୧୯), ଦେବଗଡ ଥାନାଚଂଳର ରୋହିତ ପାତ୍ର(୨୪), ଜରେଇକଳା ଗ୍ରାମର ମହେଶ୍ବର ଶଗଡିଆ(୨୪) । ସେମାନଙ୍କ ଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ ଟି ମୋବାଇଲ ଫୋନ ଜବତ କରିଛି ପୁଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଗତ ସେପ୍ଟେମ୍ବର ମାସରେ ଯୋଜନା କରିଥିଲେ ଗିରଫ ଅଭିଯୁକ୍ତମାନେ । ଯୋଜନା ଅନୁଯାୟୀ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୨ କୋଟି ଟଙ୍କା ଅସୁଲ କରି ପ୍ରତ୍ୟେକଙ୍କ ଭାଗରେ ୫୦ ଲକ୍ଷ ଟଙ୍କା ମିଳିବା ହିସାବ କରିଥିଲେ ଅଭିଯୁକ୍ତ । ଯୋଜନାକୁ କାର୍ଯ୍ୟକାରି କରିବାକୁ ଗତ ନଭେମ୍ବର ମାସରେ ସେମାନେ ପ୍ରଥମ ପ୍ରୟାସ କରିଥିଲେ । କିନ୍ତୁ ସେମାନଙ୍କର ଯୋଜନା କୌଣସି କାରଣରୁ ଫେଲ ମାରିଥିଲା । ପରେ ପୁଣି ଯୋଜନା ଅନୁଯାୟୀ , ଗତ ୧୮ ତାରିଖ ଦିନ ପିହୁ ଟିଉସନରୁ ଫେରୁଥିବାବେଳେ ଅପହରଣ କରିବାରେ ସଫଳ ହୋଇଥିଲେ । ପିହୁକୁ ବାଇକ ଯୋଗେ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲେ । ତେବେ ବିଭିନ୍ନ ସ୍ଥାନରେ ପୁଲିସର କଡା ଯାଂଚରେ ଭୟଭୀତ ହୋଇ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ଥାନାଞ୍ଚଳର ଏକ ପୋଲ ନିକଟରେ ତାଙ୍କୁ ଛାଡି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସୁନ୍ଦରଗଡ ହୋଟେଲ ସିସି କ୍ୟାମେରାରେ କଏଦ ହୋଇଥିବା ସନ୍ଦିଗ୍ଧଙ୍କ ଫଟୋ ପୁଲିସ ଫଟୋ ଜାରି କରିବା ସହିତ ସୂଚନାଦାତାଙ୍କୁ ଅର୍ଥରାଶି ପୁରସ୍କାର ଘୋ‌ଷଣା କରିଥିଲା ଦେବଗଡ ପୁଲିସ । ତେବେ ଉକ୍ତ ଘଟଣାରରେ ଆଜି ୪ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ ଆଦର୍ଶ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଦେବଗଡ ଆଦର୍ଶ ଥାନା ଆଇଆଇସି ସରୋଜ ସେଠୀ, ଆରଆଇ ହାମ୍ବିରା ସୋରେନ ଉପସ୍ଥିତ ଥିଲେ । ଏହାପରେ ପିହୁର ପରିବାର ଲୋକ ପୁଲିସ, ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ ।