Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ବ୍ଳକ ରେ ଡାକ୍ତର ମରୁଡି,44 ବଦଳରେ ଅଛନ୍ତି ମାତ୍ର 2 ଏମ ବି ବି ଏସ, ପୁଲବାଣୀ ଜିଲ୍ଲା ସି,ଏଚ,ସି ରେ 10/11 ଜଣ ଡାକ୍ତର ଥିବାବେଳେ ଗୋବରା ଓ ବେଲଗୁଣ୍ଠାରେ ଜଣେ ଲେଖାଏଁ,

ବେଲଗୁଣ୍ଠା,24/12, 5T ଯୋଜନା ମାଧ୍ୟମରେ ମେଡ଼ିକାଲ୍ ପରିସର ବେଶ୍ ଚକାଚକ୍ I ମନକୁ ଶାନ୍ତି ଦେବା ପାଇଁ ମେଡ଼ିକାଲ୍ ପରିସର ଭିତରେ ମନ୍ଦିର ଏବଂ ସମୟ କାଟିବା ପାଇଁ ଅଛି ପାର୍କ୍ ର ବ୍ୟବସ୍ଥା I ମେଡ଼ିକାଲ୍ ପରିସର ସୃଷ୍ଟି କରୁଛି ମନୋରମ ଉଦ୍ୟାନର ଭ୍ରମ I ତଥାପି ଏଠାରେ ରୋଗୀଙ୍କ ମନରେ ଶାନ୍ତି ନାହିଁଁ I ରୋଗୀ ଉପଯୁକ୍ତ ସେବା ନପାଇ ନିରାଶରେ ଫେରିବା ସହ ପ୍ରାଣ ବିକଳରେ ଦୌଡୁଛନ୍ତି ଅନ୍ୟ ମେଡ଼ିକାଲ୍ I ଏହିଭଳି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ମାନଚିତ୍ରର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ୍ କରିଥିବା ବେଲଗୁଣ୍ଠା ବ୍ଳକ୍ ର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଳକ୍ ର ତିନି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ I ବେଲଗୁଣ୍ଠା ବ୍ଳକ୍ ର ଅନ୍ୟତମ ଜନବହୁଳ ଅଞ୍ଚଳ ହେଉଛି ଗୋବରା I 13ଟି ପଂଚାୟତର କେନ୍ଦ୍ର ସ୍ଥଳରେ ରହିଛି ଏହି ଅଞ୍ଚଳ I ଏଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏହି 13ଟି ପଂଚାୟତର 109 ଗ୍ରାମର ରୋଗୀ ନିର୍ଭର କରିଥାନ୍ତି I କିନ୍ତୁ ଦୀର୍ଘ ଦିନ ଧରି ଏହି ଡାକ୍ତରଖାନାରେ ଲାଗି ରହିଥିବା ଡ଼ାକ୍ତରୀ ସମସ୍ୟା ଯୋଗୁଁ ସ୍ଥାନୀୟ ରୋଗୀଙ୍କ ଅବସ୍ଥା କହିଲେ ନସରେ I ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ 150 ରୁ 200 ଜଣ ରୋଗୀ ଆସୁଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡ଼ାକ୍ତର ନଥିବା ଯୋଗୁଁ ବହୁ ରୋଗୀ ଜରୁରୀକାଳୀନ ଚିକିତ୍ସା ନପାଇ ନିରାଶରେ ଫେରିଯାଉଛନ୍ତି I ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ,ପ୍ରସୂତି, ଅସ୍ତ୍ରୋପଚାର, ଭେଷଜ ଭଳି ବିଭିନ୍ନ ବିଭାଗରେ କୋଡ଼ିଏ ଜଣ ଡ଼ାକ୍ତର ରହିବା ବଦଳରେ ସେଠାରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ସହିତ ଜଣେ ଏମବିବିଏସ୍ ଡ଼ାକ୍ତର ଏବଂ ଜଣେ ଆୟୂଷ ଡାକ୍ତର ରହିଛନ୍ତି I ଦୀର୍ଘ ଦଶ ବର୍ଷ ହେଲା ଜଣେ ହେଲେ ବିଶେଷଜ୍ଞ ଏଠାରେ ନିଯୁକ୍ତି ପାଇନାହାଁନ୍ତି ।ଏହା ସହିତ ଡାକ୍ତର ଷଡଙ୍ଗୀ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଏବଂ ବେଲଗୁଣ୍ଠା ବ୍ଳକ୍ ର ଜନସ୍ୱାସ୍ଥ୍ୟ ଅଫିସର ଭାବେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି I ଜଣେ ଲୋକ ତିନଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବାରୁ ରୋଗୀ ଦେଖିବା ତାଙ୍କପାଇଁ କଷ୍ଟକର ବ୍ଯାପାର ହୋଇପଡ଼ିଛି I ଏହି ସମସ୍ୟା କେବଳ ଦିନେ ଦୁଇଦିନର ନୁହେଁ, ଏହା ଦୀର୍ଘ ଦିନଧରି ଚାଲିଛି । କେବଳ ଡାକ୍ତର କଥା ନୁହେଁ, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ କର୍ମଚାରୀଙ୍କ ଅଭାବ ମଧ୍ୟ ରୋଗୀଙ୍କ ଦୂର୍ଦ୍ଦଶା ବଢାଇଦେଇଛି I ଛଅ ଜଣ ନର୍ସ ବଦଳରେ ତିନି ଜଣ ଏବଂ ଚାରି ଜଣ ଆଟେଣ୍ଡାଣ୍ଟ ବଦଳରେ ଏଠାରେ ମାତ୍ରା ଦୁଇଜଣ ଅଛନ୍ତି Iସ୍ୱାସ୍ଥ୍ୟକେନ୍ଦ୍ରରେ 24 ଘଣ୍ଟିଆ ସେବା ପାଇବା ରୋଗୀଙ୍କ ପାଇଁ ସ୍ଵପ୍ନ ପାଲଟିଛି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଖୋଦ୍ ବେଲଗୁଣ୍ଠାରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଗୋବରା ଠାରୁ ଦୟନୀୟ ହୋଇପଡିଛି I ଏଠାରେ 21 ଜଣ ଡ଼ାକ୍ତର ରହିବା ବଦଳରେ ଜଣେ ମାତ୍ର ମହିଳା ଡ଼ାକ୍ତର ରୋଗୀଙ୍କୁ ଚିକିତ୍ସା କରୁଛନ୍ତି I ବ୍ଳକ୍ ର ତିନୋଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିଜଣ ଏମବିବିଏସ୍ ଡ଼ାକ୍ତର ରହିବା ବଦଳରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ୍ ଡ଼ାକ୍ତର ରୋଗୀଙ୍କ ପାଇଁ ସ୍ଵପ୍ନ ପାଲଟିଛି I ଗାଙ୍ଗପୁର ଏବଂ ପାଇଲିପଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଜଣେ ଆୟୂଷ ଡାକ୍ତର ଥିବା ବେଳେ ବଙ୍କା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ଫାର୍ମାସିଷ୍ଟ ରୋଗୀଙ୍କ ପାଇଁ ସର୍ବେସର୍ବା ପାଲଟିଛନ୍ତି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଜଣେ ଦନ୍ତ ରୋଗ ବିଶେଷଜ୍ଞ ପଦବୀ ପ୍ରାୟ 3 ବର୍ଷ ହେଲା ଖାଲି ପଡ଼ିଛି I ବ୍ଳକ୍ ର ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ତିନି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବେଲଗୁଣ୍ଠା ବ୍ଳକ୍ ସମେତ ପଡ଼ୋଶୀ ଆସିକା, ଧରାକୋଟ,ସୋରଡ଼ା, ଜଗନ୍ନାଥପ୍ରସାଦ ଏବଂ ବୁଗୁଡ଼ା ବ୍ଳକ୍ ର ପାଖାପାଖି ଦେଢ଼ଲକ୍ଷ ଲୋକ ନିର୍ଭର କରୁଥିଲେ ମଧ୍ୟ ଏହି ବ୍ଳକ୍ ରେ ଡାକ୍ତର ସଙ୍କଟ ରୋଗୀଙ୍କ ପାଇଁ ଜୀବନମରଣର ସମସ୍ୟା ସୃଷ୍ଟି କରିଛି I ବର୍ତ୍ତମାନ ବେଲଗୁଣ୍ଠା ବ୍ଳକ୍ ର କୌଣସି ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ରୋଗୀ ଆସିବାକୁ ନିରାପଦ ମନେ କରୁ ନାହାଁନ୍ତି I ଜରୁରୀ ଆବଶ୍ୟକତା ଥିବା ରୋଗୀ ଏଠାକୁ ଆସିବା ହିଁ ନିଜର ବୋକାମୀ ବୋଲି ଭାବୁଛନ୍ତି I ବହୁ ସମୟରେ ରୋଗୀ ବାଧ୍ୟ ହୋଇ ଏଠାରୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ କିମ୍ବା ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି I ଫଳରେ ରୋଗୀଙ୍କ ଅବସ୍ଥା ବେହାଲ ହୋଇପଡ଼ୁଛି, ଏପିରିକି ରାସ୍ତାରେ ରୋଗୀର ଜୀବନ ମଧ୍ୟ ଚାଲିଯାଉଛି I ଅନ୍ୟପଟେ ସରକାର ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡିଣ୍ଡିମ ପିଟି ଗୋବରା ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି I କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରର ମୂଳ ସମ୍ବଳ ଡ଼ାକ୍ତର ଅଭାବ ଘଟଣା ଜନସାଧାରଣଙ୍କୁ ଗଭୀର ଆଘାତ ଦେଇଛି I ପ୍ରକାଶ ଥାଉକି ଗଂଜାମ ଜିଲ୍ଲାର ପଡ଼ୋଶୀ ଜିଲ୍ଳା ଗଜପତି, କନ୍ଧମାଳ, ନୟାଗଡ଼ ,ଖୋର୍ଦ୍ଧା ଆଦି ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ 7 ରୁ 8 ଜଣ ଲେଖାଏଁ ଏମବିବିଏସ୍ ଡ଼ାକ୍ତର ରହୁଛନ୍ତି, କିନ୍ତୁ ଖୋଦ୍ ମୂଖ୍ୟମନ୍ତ୍ରୀ,ଅର୍ଥ ମନ୍ତ୍ରୀ ଓ ନଗର ଉନ୍ନୟନ ଭଳି ହେବ୍ବିବେଇଟ ମନ୍ତ୍ରୀଙ୍କ ଜିଲ୍ଲାରେ ଡ଼ାକ୍ତର ଅଭାବ ଜିଲ୍ଲାର ବିକଳ ସ୍ୱାସ୍ଥ୍ୟସେବାକୁ ପଦାରେ ପକାଇଦେଇଛି I ଡ଼ାକ୍ତର ଅଭାବ ଯୋଗୁଁ ଦିନକୁ ଦିନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଉପରୁ ଲୋକଙ୍କ ଭରସା ତୁଟୁ ଥିବା ବେଳେ ରୋଗୀ ଏବଂ ରୋଗୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି I ଆଗାମୀ ଦିନରେ ଡ଼ାକ୍ତର ନିଯୁକ୍ତି ସୂଚନା ରହିଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ଜନପ୍ରତିନିଧି ତୁରନ୍ତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସମସ୍ୟା ଦୂରକରି ଆବଶ୍ୟକ ଡ଼ାକ୍ତର ନିଯୁକ୍ତି ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି, ଅନ୍ୟଥା ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବାକୁ ସଜାଡ଼ିବାକୁ ଅଞ୍ଚଳରେ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବା ନିଶ୍ଚିତ ବୋଲି ବହୁ ଜନପ୍ରତିନିଧି ପ୍ରକାଶ କରିଛନ୍ତି I ଆଗକୁ ସାଧରଣ ନିର୍ବାଚନ ଥିବାରୁ ବହୁ ରାଜନୈତିକ ଦଳ ବେଲଗୁଣ୍ଠା ବ୍ଳକ୍ ରେ ଥିବା ଡାକ୍ତରୀ ସମସ୍ୟାକୁ ଅସ୍ତ୍ର କରି ନିର୍ବାଚନକୁ ଓହ୍ଳାଇବାର ସମ୍ଭାବନା ଥିବାରୁ ଏହା ରାଜ୍ୟ ସରକାରଙ୍କୁ କ୍ଷତି ପହଞ୍ଚାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି I