ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୬ ତାରିଖରେ ଖେଳାଯିବ । ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଜି ସାମ୍ବାଦିକ ସମ୍ମିଳନୀ କରିବେ । ରୋହିତ ଶର୍ମାଙ୍କ ଏହି ସାମ୍ବାଦିକ ସମ୍ମିଳନୀ ବହୁତ ଖାସ୍ ହେବାକୁ ଯାଉଛି । ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ମିିଡିଆ ସାମ୍ନାକୁ ଆସି ପାରି ନାହାନ୍ତି । ବିଶ୍ୱକପ୍ ୨୦୨୩ ଫାଇନାଲରେ ଯେବେ ଭାରତ ଅଷ୍ଟ୍ରେଲିଆ ହାତରୁ ପରାସ୍ତ ହେଲା, ସେହି ସମୟରେ ରୋହିତ ଶର୍ମାଙ୍କ ଜାଗାରେ କୋଚ୍ ରାହୁଲ ଦ୍ରାବିଡ ପ୍ରେସ କନଫରେନ୍ସ କରିଥିଲେ । ରୋହିତ ଉକ୍ତ ପରାଜୟ ପରେ ଆଜି ସିଧାସଳଖ ମିଡିଆ ସହ ଆଲୋଚନା କରିବେ ।
ରୋହିତ ଶର୍ମାୀଙ୍କ ଏହି ପ୍ରେସ କନଫରେନ୍ସ ବହୁତ ଗୁରୁତ୍ୱ ବହନ କରୁଛି । ଏହି ସମୟରେ ପ୍ରଶଂସକଙ୍କୁ ଜଣା ପଡିବ ଯେ, ଭାରତୀୟ ଦଳ ଓ ହିଟମ୍ୟାନ ଉକ୍ତ ପରାଜୟର ଗ୍ଲାନିରୁ ବାହାରି ପାରିଛନ୍ତି କି ନାହିଁ । ଏହା ବ୍ୟତୀତ ଦଳର ଭବିଷ୍ୟତ ଯୋଜନା ଓ ରୋହିତ ଶର୍ମାଙ୍କ ଟି-୨୦ ବିଶ୍ୱକପ୍ ଖେଳିବା କିମ୍ବା ନ ଖେଳିବା ଚିତ୍ର ମଧ୍ୟ ସ୍ପଷ୍ଟ ହୋଇପାରେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦଳର କମ୍ବିନେସନ କେମିତି ରହିବ ଏବଂ ରଣନୀତି କଣ ରହିବ ତା ଉପରେ ସଙ୍କେତ ମିଳିପାରେ ।
ଆଜି ଭାରତୀୟ ସମୟ ଅପରାହ୍ଣ ସାଢେ ୨ଟାରେ ରୋହିତଙ୍କ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ । ଏହାର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ହେବ । ପ୍ରଶଂସକ ଷ୍ଟାର ସ୍ପୋର୍ଟ୍ସର ୟୁଟ୍ୟୁବର ଚ୍ୟାନେଲ ଓ ହଟଷ୍ଟାରରେ ଏହା ଦେଖି ପାରିବେ ।