ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଆଜି ହୋଇପାରେ ଦଳ ଘୋଷଣା, କୋହଲି-ରୋହିତଙ୍କୁ ମିଳିବ ସୁଯୋଗ !


ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୧ରେ ମୋହାଲିରେ ଖେଳାଯିବ । ବିସିସିଆଇ ଏହି ସିରିଜ୍ ପାଇଁ ଶୁକ୍ରବାର ଦଳ ଘୋଷଣା କରିପାରେ । ଏହାକୁ ନେଇ ଆଜି ବୈଠକ ବସିପାରେ । ସବୁଠୁ ବଡ କଥା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟି-୨୦ ଦଳକୁ ପ୍ରତ୍ୟାବର୍ତନ ଘଟିପାରେ । ଯଦି ବୋର୍ଡ ଏହି ଦୁଇ ଖେଳାଳିଙ୍କୁ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଦଳରେ ରଖିବ ତେବେ ଆଫଗାନିସ୍ତାନ ସିରିଜରେ ଖେଳିବାକୁ ସୁଯୋଗ ଦିଆଯାଇପାରେ ।

ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁଯାୟୀ, ବିସିସିଆଇ ଶୁକ୍ରବାର ଦଳ ଚୟନ କରିପାରେ । ଏହି ବୈଠକରେ ଭାରତ-ଆଫଗାନିସ୍ତାନ ସହ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜ୍ ପାଇଁ ମଧ୍ୟ ଖେଳାଳିଙ୍କ ଚୟନ କରାଯାଇପାରେ । ଟିମ୍ ଇଣ୍ଡିଆ ସଂପ୍ରତି ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ପ୍ରସ୍ତୁତି ଚଲାଇଛି । ଏହି ଦୃଷ୍ଟିରୁ କୋହଲି ଓ ରୋହିତଙ୍କ ଦଳକୁ ପ୍ରତ୍ୟାବର୍ତନ ଘଟିପାରେ । ଏହି ଦୁଇ ଖେଳାଳି ୨୦୨୨ ଟି-୨୦ ବିଶ୍ୱକପ୍ ପରଠୁ ଆଉ ଟି-୨୦ ଦଳରେ ନାହାନ୍ତି ।

ଆଫଗାନିସ୍ତାନ ବିପକ୍ଷ ସିରିଜରେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ । ଆହତ କାରଣରୁ ସେ ବିଶ୍ୱକପ୍ ୨୦୨୩ ପରଠୁ ଦଳ ବାହାରେ ରହିଛନ୍ତି । ତାଙ୍କ ସ୍ଥାନରେ ନୂତନ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଚୟନକର୍ତା ବରିଷ୍ଠ ଖେଳାଳିଙ୍କୁ ଏହି ସିରିଜରୁ ବିଶ୍ରାମ ଦେଇ ପାରନ୍ତି । ଏହି ଅନୁସାରେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ମିଳିପାରେ । ଏହି ଦୁଇ ବୋଲର କେପଟାଉନ ଟେଷ୍ଟରେ ଭାରତୀୟ ଦଳର ପରାଜୟରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୧ରେ ମୋହାଲିରେ ଖେଳାଯିବ । ଏହା ପରେ ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୪ରେ ଇନ୍ଦୋରରେ ଖେଳାଯିବ । ସିରିଜର ତୃତୀୟ ମ୍ୟାଚ୍ ଜାନୁଆରୀ ୧୭ରେ ବେଙ୍ଗାଲୁରୁରେ ଆୟୋଜିତ କରାଯିବ ।