କିଏ ଦଖଲ କରିବ ସମ୍ବଲପୁର ? ଜୟ ନାରାୟଣଙ୍କୁ ମାତ୍ ଦେବାକୁ ବିଜେଡି କାହାକୁ କରିବ ପ୍ରାର୍ଥୀ, ବହୁ ପଛରେ କଂଗ୍ରେସ


ସମ୍ବଲପୁର : ଏବେଠୁ ଶୁଭିଲାଣି ନିର୍ବାଚନର ପଦଧ୍ଵନୀ। ଆରମ୍ଭ ହେଲାଣି ସମଜରସଜ୍ଜା। କେମିତି ଗଡ ରକ୍ଷା କରିବେ ଏବଂ ଅଧିକରୁ ଅଧିକ ଆସନ କବଳିତ କରି ସରକାରକୁ ଆସିବେ ସେ ନେଇ ଚାଲିଛି ଅଙ୍କକଷା। ଇତିମଧ୍ୟରେ ଐତିହାସିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ପଶ୍ଚିମ ଓଡିଶାରେ ଅତ୍ୟନ୍ତ ଗୁରୁତ୍ଵ ବହନ କରୁଥିବା ସମ୍ବଲପୁର ଉପରେ ଏବେ ବିଜେଡି ଏବଂ ବିଜେପିର ନଜର। ପଶ୍ଚିମ ଓଡିଶାରୁ ନେତୃତ୍ଵ ନିର୍ଦ୍ଧାରଣ କରୁଥିବା ଏହି ଆସନ କବଜା କରିବା ପାଇଁ ବିଜେପି ଏବଂ ବିଜେଡି ଶିବିରରେ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କଂଗ୍ରେସ ଟିକେ ଧିମେଇ ଯାଇଥିଲେ ବି ସକ୍ରିୟ ହୋଇ ଉଠିଲାଣି। କାରଣ ପଶ୍ଚିମ ଓଡିଶାର ନେତୃତ୍ଵ ସମ୍ବଲପୁରରୁ ହିଁ ନିର୍ଦ୍ଧାରଣ ହୋଇଥାଏ। ସମ୍ବଲପୁର ନିର୍ବାଚନ ମଣ୍ଡଳୀ ହେଉଛି ବିଜେପିର ଗଡ। ଏଠାରେ କେବଳ ଥରୁଟିଏ ମାତ୍ର ବିଜେଡି ଜିତିବାରେ ସକ୍ଷମ ହୋଇଥିଲା।

୩ ଲକ୍ଷ ଭୋଟର ଥିବା ସମ୍ବଲପୁର ଏଥର ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇସାରିଛି । ବିଧାୟକ ଜୟ ନାରାୟଣ ମିଶ୍ର ବର୍ତ୍ତମାନ ବିଧାନସଭାର ବିରୋଧୀ ଦଳ ନେତା। ଶାଣିତ ସ୍ଵରରେ ହମଲା କରି ସେ ନବୀନ ସରକାରଙ୍କୁ ଅଡୁଆରେ ପକାଇ ଚାଲିଛନ୍ତି। ତୀର‌୍ୟ୍ୟକ ପ୍ରଶ୍ନରେ ବିଜେଡି ସରକାରଙ୍କୁ କରୁଛନ୍ତି ଘାଇଲା। ତେଣୁ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଜୟ ନାରାୟଣଙ୍କୁ ଅଟକାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଜୟ ନାରାୟଣ ମିଶ୍ର ଚାରି ଥର ଏହି ଗୁରୁତ୍ଵପୂର୍ଣ୍ଣ ଆସନରୁ ବିଜୟ ହାସଲ କରି ସାରିଛନ୍ତି। ଏଥର ମଧ୍ୟ ବିଜୟ ଲାଭ କରି ବିଜେଡିର ଏହି ଗଡ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରିବେ। ସେପଟେ ବିଜେଡି କାହାକୁ ପ୍ରାର୍ଥୀକ କରିବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ବିଜେଡିକୁ ଏହି ଆସନରେ ଥରୁଟିଏ ଜିତାଇଥିବା ପ୍ରାର୍ଥୀ ହେଉଛନ୍ତି ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ। ସେ ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହି ନିଜର ସଂଗଠନ ଚଳାଇଛନ୍ତି।

ଉଲ୍ଲେଖନୀୟ ୨୦୧୯ ନିର୍ବାଚନରେ ରାସେଶ୍ଵରୀ ମାତ୍ର ୪୩୮୦ ଖଣ୍ଡ ଭୋଟରେ ଜୟନାରାୟଣଙ୍କଠୁ ପରାଜିତ ହୋଇଥିଲେ। ଏଥର ବିରୋଧୀ ଦଳ ନେତାଙ୍କୁ ମାତ୍ ଦେବା ପାଇଁ ବିଜେଡି ରଣନୀତସ୍ଵରୂପ ମହିଳା ଭୋଟରଙ୍କ ଉପରେ ନଜର ରଖିଛି। ଅନ୍ୟପଟେ, ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରି ଅକଳରେ ପକାଇଥିବା ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଶାଣିତ ଆକ୍ରମଣ ଦ୍ୱାରା ଲୋକପ୍ରିୟତା ଅର୍ଜନ କରିଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ସମ୍ବଲପୁର ବିଧାନସଭା କ୍ଷେତ୍ରରେ ବସ୍ତି ଅଞ୍ଚଳରେ ଜୟନାରାୟଣ ନିଜର ଦବ୍‌ଦବାକୁ ଏବେ ବି ଅକ୍ଷୁର୍ଣ୍ଣ ରଖି ଆସିଛନ୍ତି ।

୨୦୧୪ରେ ଥରୁଟିଏ ବିଜେଡି ପ୍ରାର୍ଥୀ ରାସେଶ୍ଵରୀ ପାଣିଗ୍ରାହୀ ବିଜୟ ଲାଭ କରି ପାରିଥିଲେ। ଉକ୍ତ ନିର୍ବାଚନରେ ସେ ୪୭,୯୦୧ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ରେ ୫୨,୯୬୯ ଖଣ୍ଡ ଭୋଟ୍ ମିଳିଥିଲା । ଭୋଟ୍ ସଂଖ୍ୟା ବଢିଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ। ୨୦୧୪ରେ ୩୮ ହଜାର ଭୋଟ୍ ପାଇଥିବା ଜୟନାରାୟଣ ୨୦୧୯ରେ ପ୍ରାୟ ୨୦ ହଜାର ଭୋଟ୍ ଅଧିକ ଅର୍ଥାତ ୫୭୩୪୯ ଭୋଟ୍ ପାଇଥିଲେ। ୨୦୧୪ରେ କଂଗ୍ରେସର ସୁରେଶ୍ଵର ମିଶ୍ର ୧୯,୦୨୦ ଖଣ୍ଡ ଭୋଟ୍ ପାଇଥିବା ବେଲେ ୨୦୧୯ରେ ଡାକ୍ତର ଅଶ୍ଵିନୀ କୁମାର ପୂଝାରୀ ୧୧,୬୫୨ ଭୋଟ୍ ପାଇଥିଲେ। ଅର୍ଥାତ ଅଶ୍ଵିନ ପ୍ରାୟ ୧୦ ହଜାର ଭୋଟ୍ ସେ କମ ପାଇଥିଲେ । ପରିସଂଖ୍ୟାନରୁ ଜଣାପଡେ ଏହି ଭୋଟ୍ ବିଜେପି ନେତା ଜୟନାରାୟଣ ମିଶ୍ର ହାତେଇବାରେ ସଫଳ ହୋଇଥିଲେ । ଏହା ହିଁ ରାସେଶ୍ଵରୀଙ୍କ ପରାଜୟର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ଥିଲା। ଏଥର ମଧ୍ୟ କଂଗ୍ରେସର ଦୁର୍ବଳ ସଙ୍ଗଠନ ଓ ନେତୃତ୍ୱ ଅଭାବ ପାଇଁ ଭୋଟ୍ ହ୍ରାସ ହେବା କୁହାଯାଉଛି ।

ସ୍ଵାଧୀନ ପରଠୁ ସମ୍ଵଲପୁର ନିର୍ବାଚନ ମଣ୍ଡଳୀର ଇତିହାସ ଉପରେ ନଜର ପକାଇଲେ ଏହି ଆସନରେ କଂଗ୍ରେସ ସାତ ଥର ବିଜୟୀ ହୋଇଛି। ବନମାଳୀ ବାବୁଙ୍କ ଠାରୁ ନେଇ ଶ୍ରୀବଲ୍ଲଭ ପାଣିଗ୍ରାହୀ, ଦୁର୍ଗାଶଙ୍କର ପଟ୍ଟନାୟକ ଭଳି ନେତା ସମ୍ବଲପୁର ଆସନରେ କଂଗ୍ରେସକୁ ପ୍ରତିନିଧିତ୍ଵ ଦେଇଥିଲେ। ସମୟରେ ପରିବର୍ତ୍ତନ ଆସିଛି। ମହାନଦୀରେ କେତେ ପାଣି ବହିଗଲାଣି। ଦଳ ନେତୃତ୍ଵଠୁ ନେଇ ସାଙ୍ଗଠନିକ ସ୍ତର ପର୍ଯ୍ୟନ୍ତ ଦୁର୍ବଳ ହୋଇ ସାରିଛି। ୨୦୦୦ ମସିହା ପର ଠାରୁ ଦଳ ସମ୍ବଲପୁର ଆସନକୁ ଅକ୍ତିଆର କରିପାରି ନାହିଁ । ଦେଖିବା ବାକି ରହିଲା ଜୟନାରାୟଣଙ୍କୁ ପରାହତ କରିବା ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରୁଛି ଏବଂ କେଉଁ ରଣନୀତି ଆପଣଉଛି।