ଜଗନ୍ନାଥ ମନ୍ଦିର ପରିକ୍ରମା ପାଇଁ ବେଲଗୁଣ୍ଠାରେ ସ୍ୱତନ୍ତ୍ର କାଯ୍ୟକ୍ରମ, କୁମାର ବାପି ଓ ଶୈଳଭାମା ଙ୍କ ଭଜନରେ ଝୁମିଲେ ଦର୍ଶକ


ବେଲଗୁଣ୍ଠା, 18/01, ବୁଧବାର ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ଉପଲକ୍ଷେ ସାରା ଓଡ଼ିଶା ଉତ୍ସବମୟ ହୋଇ ଉଠିଥିଲା I ଏହି ଅବସରରେ ମନ୍ଦିରମାଳିନୀ ସହର ବେଲଗୁଣ୍ଠାରେ ମଧ୍ୟ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏଲ୍ଇଡି ଟିଭି ମାଧ୍ୟମରେ ସହରବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ସିଧା ପ୍ରସାରଣ ଦେଖାଯାଇଥିଲା I ଏହି ଅବସରରେ ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରରେ 108 ତୁଳସୀ ଅର୍ପଣ କରାଯାଇଥିଲା I ବେଲଗୁଣ୍ଠା କାର୍ଯ୍ୟନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ମିଶନ୍ ଶକ୍ତି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସହଯୋଗ କରିଥିଲେ I ସେହିପରି ସନ୍ଧ୍ୟା ସମୟରେ ବଡଦାଣ୍ଡରେ ଅନୁଷ୍ଠିତ ଭଜନ ସମାରୋହରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା I ସୁନାମଧନ୍ୟ ଚଳଚ୍ଚିତ୍ର ଗାୟକ କୁମାର ବାପି ଏବଂ ଶୈଳଭାମା ମହାପାତ୍ରଙ୍କ ସମେତ ଓମ୍ ସଙ୍ଗୀତ ଏକାଡେମୀର କଳାକାରଙ୍କ ଭାବପୂର୍ଣ୍ଣ ଭଜନ ଦର୍ଶକ ଏବଂ ଶ୍ରୋତାଙ୍କୁ ବିଳମ୍ୱିତ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କଣ୍ଠଶିଳ୍ପୀ କୁମାର ବାପି ଏବଂ ଶୈଳଭାମା ମହାପାତ୍ରଙ୍କୁ ବିଶ୍ୱ ପ୍ରସିଦ୍ଧ ପିତଳ ମାଛ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ସେହିପରି ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଏବଂ ଓମ୍ ସଙ୍ଗୀତ ଏକାଡେମୀ ପରିଚାଳକ ପ୍ରଦୀପ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସିଟି ମିଶନ୍ ପରିଚାଳକ ସମସ୍ତ କାର୍ଯ୍ୟକ୍ରମକୁ ପରି ଚାଳନା କରିଥିଲେ I ସମସ୍ତ କାଉନସିଲର ସହଯୋଗ କରିଥିଲେ ।