ଶୋଏବ ବସିରଙ୍କୁ ଭିସା ନ ମିଳିବାରୁ ଦୁଃଖ ପ୍ରକାଶ କଲେ ରୋହିତ, କହିଲେ- କଣ କରିବା ମୁଁ ଭିସା ଅଫିସର ଅଧିକାରୀ ନୁହେଁ


ହାଇଦ୍ରାବାଦ: ଗୁରୁବାରଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ । ମାତ୍ର ହାଇଦ୍ରାବାଦ ଟେଷ୍ଟ ପୂର୍ବରୁ ବେନ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳକୁ ବଡ ଝଟକା ଲାଗିଛି । କାରଣ ପ୍ରଥମ ମ୍ୟାଚରେ ଇଂଲଣ୍ଡ ସ୍ପିନର ଶୋଏବ ବସିର ମ୍ୟାଚ୍ ଖେଳି ପାରିବେ ନାହିଁ । ବସିର ଭିସା ସଂପର୍କିତ ସମସ୍ୟା କାରଣରୁ ଭାରତ ଆସି ପାରି ନାହାନ୍ତି । ଏହି କାରଣରୁ ସେ ପ୍ରଥମ ଟେଷ୍ଟରୁ ବଂଚିତ ହୋଇଛନ୍ତି । ଏହି ପ୍ରସଙ୍ଗରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନିଜର ବୟାନ ଦେଇଛନ୍ତି ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଶୋଏବ ବସିରଙ୍କୁ ଭିସା ନ ମିଳିବା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବସିରଙ୍କ ଏମିତି ସ୍ଥିତି ପାଇଁ ଦୁଃଖିତ । ଦୁର୍ଭାଗ୍ୟ ଯେ ମୁଁ ଭିସା ଅଫିସର ଅଧିକାରୀ ନୁହେଁ, ଯେଉଁଠି ମୁଁ ଭିସା ଦେଇ ପାରି ଥାଆନ୍ତି । ହାଇଦ୍ରାବାଦ ଟେଷ୍ଟ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୋହିତ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେବା ସମୟରେ ଏହି ଟିପ୍ପଣୀ କରିଛନ୍ତି ।

ସୂଚନାଯୋଗ୍ୟ, ଭିସା ସଂପର୍କିତ ସମସ୍ୟା କାରଣରୁ ଶୋଏବ ବସିର ୟୁଏଇରେ ଅଟକି ରହିଛନ୍ତି । ଇଂଲଣ୍ଡ ଦଳ ଆଶା ରଖିଛି ଯେ, ଯଥା ଶୀଘ୍ର ବସିରଙ୍କ ଭିସା ସଂପର୍କିତ ସମସ୍ୟା ଦୂର ହେବ ଏବଂ ସେ ଭାରତରେ ପହଂଚିବେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଗତ ୧୨ ବର୍ଷ ହେବ ଇଂଲଣ୍ଡ ଭାରତରେ ଟେଷ୍ଟ ସିରିଜ୍ ଜିତି ପାରି ନାହିଁ । ଶେଷ ଥର ଭାରତୀୟ ମାଟିରେ ଭ୍ରମଣକାରୀ ଇଂଲଣ୍ଡ ୨୦୧୨ରେ ଟେଷ୍ଟ ସିରିଜ୍ ଜିତିଥିଲା । ସେହି ସମୟରେ ଦଳର ଅଧିନାୟକ ଆଲିଷ୍ଟର କୁକ୍ ଥିଲେ । ଏବେ ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଦଳ ଭାରତୀୟ ମାଟିରେ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି ।