ହାଇଦ୍ରାବାଦ: ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନର ପ୍ରଥମ ସେସନରେ ଭାରତର ପ୍ରଥମ ଇନିଂସ ସମାପ୍ତ ହୋଇଛି । ଇଂଲଣ୍ଡର ୨୪୬ ରନ ଜବାବରେ ଭାରତ ପ୍ରଥମ ଇନିଂସରେ ୪୩୬ ରନରେ ଅଲଆଉଟ୍ ହୋଇଛି । ଏହା ସହିତ ଭାରତ ୧୯୦ ରନର ଅଗ୍ରଣୀ ହାସଲ କରିଛି । ତେବେ କେଏଲ ରାହୁଲଙ୍କ ପରେ ରବୀନ୍ଦ୍ର ଜାଡେଜା ମଧ୍ୟ ଶତକରୁ ବଂଚିତ ହୋଇଛନ୍ତି । ସେ ୮୭ ରନ କରି ଆଉଟ୍ ହୋଇଛନ୍ତି । ଅକ୍ଷର ପଟେଲ ୪୪ ରନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୭୯ ରନ ଦେଇ ସର୍ବାଧିକ ୪ ୱିକେଟ୍ ନେଇଛନ୍ତି । ମ୍ୟାଚରେ ଅଦ୍ୟାବଧି ଭାରତର ପଲ୍ଲା ଭାରି ରହିଛି ।
ଗତକାଲି ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୪୨୧/୭ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ୮୧ ରନ କରି ରବୀନ୍ଦ୍ର ଜାଡେଜା ଓ ୩୫ ରନ କରି ଅକ୍ଷର ପଟେଲ୍ ଥିଲେ । ତେବେ ଆଉ ନିଜର ବ୍ୟକ୍ତିଗତ ସ୍କୋର ୮୭ ରନରେ ଆଉଟ୍ ହୋଇ ଜାଡେଜା ଶତକରୁ ବଂଚିତ ହୋଇଛନ୍ତି । ପ୍ରଥମ ସେସନରେ ହିଁ ଭାରତ ୩ଟି ୱିକେଟ୍ ହରାଇଥିଲା । ଅକ୍ଷର ପଟେଲ ୪୪ ରନ କରି ଆଉଟ୍ ହୋଇଥିଲେ । ଶେଷରେ ଭାରତ ୪୩୬ ରନରେ ଅଲଆଉଟ୍ ହୋଇଛି । ଦଳ ୧୯୦ ରନ ବଡ ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ କେଏଲ ରାହୁଲ ୮୬ ରନ, ଯଶସ୍ୱୀ ଜୟସ୍ୱାଲ ୮୦ ରନ, ଶ୍ରେୟସ ଆୟର ୩୫ ର ଓ ଶ୍ରୀକର ଭରତ ୪୧ ରନ କରିଛନ୍ତି ।
ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ଦିନରେ ନିଜର ପ୍ରଥମ ଇନିଂସରେ ୨୪୬ ରନରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ବେନ ଷ୍ଟୋକ୍ସ ୭୦ ରନ କରିଥିଲେ । ତାଙ୍କ ବ୍ୟତୀତ ବେୟାରଷ୍ଟୋ ୩୭ ରନ, ବେନ ଡକେଟ ୩୫ ରନ କରିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।