କଳାହାଣ୍ଡି, ୦୭/୦୨ (ଜଗନ୍ନାଥ ନାଏକ) : ଦାଦନ ଖଟିବାକୁ ଯାଇ ପାଲଟିଲେ ଗରିବ ବୃଦ୍ଧ ବାପା ମାଆଙ୍କ ଉପରେ ବୋଝ । ଗୁପ୍ତାଙ୍ଗ ହରାଇଲେ ଯୁବକ । ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଞ୍ଜିବାହାଲର ଛିଲପଡା ଠାରେ । ଦାନା ପାଇଁ ଦାଦନ ଯାଇଥିଲେ । ଭାବିଥିଲେ ଦୁଇ ପଇସା ରୋଜଗାର କରି ବୃଦ୍ଧ ବାପା ମାଆଙ୍କ ପେଟ ପୋଷିବେ । ହେଲେ ଏବେ ନିଜ ପରିବାର ପାଇଁ ପଲଟି ଯାଇଛନ୍ତି ବୋଝ । ଘରର ଏକମାତ୍ର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ ହୋଇପଡିଛି । ଗରିବ ବୃଦ୍ଧା ବାପା ମାଁଙ୍କ ଦୁଖଃ ଦୂର କରିବା ପାଇଁ ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁର ବନମାଳି ନାଏକ ଏବଂ ତାରା ନାଏକଙ୍କ ଏକମାତ୍ର ପୁଅ ସୁମନ୍ତ ନାଏକ ଯାଇଥିଲେ ସୁଦୂର ଆନ୍ଧ୍ରପ୍ରଦେଶର ବର୍ଦ୍ଧରାଜପୁରମ । ସେଠାରେ ଗୋଟେ ଚିଙ୍ଗୁଡି ଫାର୍ମରେ କାମ କରି ଘରକୁ ପଇସା ମଧ୍ୟ ପାଠଉଥିଲେ । ସବୁ କିଛି ଠିକ ଠାକ ଚାଲିଥିବାବେଳେ , ହଠାତ ଗୋଟେ ଘେରିରୁ ଅନ୍ୟ ଘେରି ଆଡେ ଗଲାବେଳେ , ଚିଙ୍ଗୁଡି ଘେରି କଡରେ ଲାଗିଥିବା ପଙ୍ଖା ବାଜି କଟିଗଲା ଗୁପ୍ତାଙ୍ଗ । ଅଭାବୀ ଖଟିଖିଆ ବୃଦ୍ଧ ବାପା ମାଁ କାମ କରି ଦୁଇ ପଇସା ଆଣିଲେ ଚୁଳି ଜଳୁଥିବାବେଳେ , ପୁଅର ଚିକିତ୍ସା ପାଇଁ କୁଆଡୁ ପଇସା ଆଣିବେ ବୋଲି ଚିନ୍ତାରେ ଭାଙ୍ଗିପଡିଛନ୍ତି । ଚିଙ୍ଗୁଡି ଫାର୍ମରେ ଦୁର୍ଘଟଣା ଘଟିବାପରେ ଫାର୍ମର ମାଲିକ ଆଦ୍ଧ୍ରପ୍ରଦେଶ ବିମାବରମ ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିବା ପରେ ଆମ୍ବୁଲେନ୍ସ ଯୋଗେ ତାଙ୍କୁ ବୁର୍ଲ୍ଲା ମେଡିକାଲକୁ ପଠାଇ ଦେଇଥିଲେ । ବୁର୍ଲ୍ଲା ଡାକ୍ତରଖାନାରେ ଏହି ଚିକିତ୍ସା ସୁବିଧା ନଥିବାରୁ ସୁମନ୍ତଙ୍କୁ ଭୁବନେଶ୍ବରର ଏମ୍ସ ହସ୍ପିଟାଲକୁ ନେଇଯିବା ପାଇଁ କହିଥିଲେ ଡାକ୍ତର । ଭୁବନେଶ୍ବର ଏମ୍ସରେ ପ୍ରଥମ ଅସ୍ତ୍ରୋପଚାର କରି ପୁଣିଥରେ ଦୁଇ ସପ୍ତାହ ପରେ ଆସିଲେ । ଦ୍ଵିତୀୟ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିବା ବେଳେ , ଅର୍ଥ ଅଭାବରୁ ଆଉ ଯାଇ ପାରୁନାହାନ୍ତି ସୁମନ୍ତ । ପୁଅର ଅସହାୟ ଅବସ୍ଥା ଦେଖି ଜିଲ୍ଲାପଲଙ୍କ ନିକଟରେ ସହାୟତା ମାଗିବାପରେ ପ୍ରତିଶୃତି ମିଳିଛି ,ହେଲେ କେବେ ଟଙ୍କା ମିଳିବ ଓ ପୁଅର ଚିକିତ୍ସା ହେବ ବୋଲି ବୃଦ୍ଧ ବାପା ମାଁ ହାତ ଯୋଡି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ।