ଏହି କାରଣରୁ ଦଳ ଘୋଷଣାରେ ହେଉଛି ବିଳମ୍ବ, କୋହଲି, ବୁମରା ଓ ଜାଡେଜାଙ୍କ ଉପରେ ସଭିଙ୍କ ନଜର


ନୂଆଦିଲ୍ଲୀ: ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ବିସିସିଆଇ ଚୟନ କମିଟି ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ତିନି ମ୍ୟାଚ୍ ପାଇଁ ଦଳ ଘୋଷଣା କରିବା ବାକି ରହିଛି । ମାତ୍ର କିଛି କାରଣରୁ ଏଥିରେ ବିଳମ୍ବ ଘଟୁଛି । ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ବିରାଟ କୋହଲି ଖେଳିବେ କି ନାହିଁ ତାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁନି । ହେଲେ ଦଳ ଘୋଷଣାରେ ବିଳମ୍ବ ହେବା ପଛର ଆଉ ଏକ ବଡ କାରଣ ସାମ୍ନାକୁ ଆସିଛି । ଆଉ ଏହାର କାରଣ ହେଉଛି ଖେଳାଳିଙ୍କ ଆହତ ସମସ୍ୟା ।

ଦ ଇଣ୍ଡିଆନ ଏକ୍ସପ୍ରେସ୍ ଅନୁଯାୟୀ, କୋହଲି ଏ ପର୍ଯ୍ୟନ୍ତ ବୋର୍ଡକୁ ତାରିଖ ଜଣାଇ ପାରି ନାହାନ୍ତି ଯେ, ସେ କେବେ ଦଳରେ ଯୋଗ ଦେବେ । ଫଳରେ କୋହଲିଙ୍କ ରାଜକୋଟ୍ ଓ ରାଂଚି ମ୍ୟାଚ୍ ନ ଖେଳିବାର ସମ୍ଭାବନା ଅଧିକ ରହିଛି । ଦଳ ଘୋଷଣାରେ ବିଳମ୍ବ ଘଟିବାର ଆଉ ଏକ ବଡ କାରଣ ହେଉଛି ଯଶପ୍ରୀତ ବୁମରା, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା । ଚୟନକର୍ତା ମଧ୍ୟ ଦଳ ଘୋଷଣା ତରବରିଆ ଭାବେ କରିବାକୁ ଚାହୁଁ ନାହାନ୍ତି । କାରଣ ତୃତୀୟ ଟେଷ୍ଟକୁ ଆଉ ଗୋଟିଏ ସପ୍ତାହ ବାକି ରହିଛି ।

ବୁମରାଙ୍କୁ ପରବର୍ତୀ ମ୍ୟାଚରେ ବିଶ୍ରାମ ଦିଆଯିବ ବୋଲି କୁହାଯାଉଥିଲା । ମାତ୍ର ଗତ ଦୁଇଟି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଏବଂ ଦଳର ଆବଶ୍ୟକତାକୁ ଦେଖିଲେ ଲାଗୁଛି ବୁମରାଙ୍କୁ ବିଶ୍ରାମ ଦେବା ମୁସ୍କିଲ । ସେମିତିରେ ପାଖାପାଖି ୧୦ ଦିନର ବିଶ୍ରାମ ମଧ୍ୟ ମିଳି ଯାଉଛି । ତେଣୁ ବୁମରାଙ୍କ ଖେଳିବା ସମ୍ଭାବନା ଅଧିକ ରହିଛି । ସେପଟେ ମହମ୍ମଦ ସିରାଜଙ୍କ ଚୂଡାନ୍ତ ଏକାଦଶକୁ ଫେରିବା ନିଶ୍ଚିତ । ତେବେ ଅନ୍ତିମ ନିର୍ଣ୍ଣୟ ଡାକ୍ତରୀ ଦଳ ରିପୋର୍ଟ ଉପରେ ନିର୍ଭର କରେ ।

କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଫିଟନେସ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରାହୁଲ ଦ୍ୱିତୀୟ ଟେଷ୍ଟରେ ଆହତ କାରଣୁ ବାଦ୍ ପଡିଥିଲେ । ରବୀନ୍ଦ୍ର ଜାଡେଜା ଆହତ ସମସ୍ୟାରୁ ଧିରେ ଧିରେ ମୁକୁଳୁଛନ୍ତି । ତେବେ ଅନ୍ତିମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।