ରାଜକୋଟ୍ ଟେଷ୍ଟରେ ଭାରତ ୪୪୫ ରନରେ ଅଲଆଉଟ୍‌, ପଦାର୍ପଣ ମ୍ୟାଚରେ ଚମକିଲେ ସରଫରାଜ ଓ ଜୁରେଲ


ରାଜକୋଟ୍‌: ଏଠାରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୪୪୫ ରନ କରିଛି । ଅଧିନାୟକ ରୋହିତ ଶର୍ମା ୧୩୧ ରନ ଓ ରବୀନ୍ଦ୍ର ଜାଡେଜା ୧୧୨ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ପଦାର୍ପଣ କରିଥିବା ସରଫରାଜ ଖାନ ୬୨ଓ ଧ୍ରୁବ ଜୁରେଲ ୪୬ ରନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ୩ଟ ସଫଳତା ପାଇଥିବା ବେଳେ ରେହାନ ଅହମ୍ମଦ ୨ଟି ୱିକେଟ୍ ନେଇଛନ୍ତି । ଏହା ପୂର୍ବରୁ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଆଜି ହେଉଛି ଖେଳର ଦ୍ୱିତୀୟ ଦିନ ।

ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୨୫/୫ରୁ ଦ୍ୱିତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଥିଲେ । ତେବେ ଜାଡେଜା ୧୧୨ ରନ କରି ଦିନର ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ । କୁଲଦୀପ ଯାଦବ ୪ ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ପଦାର୍ପଣ କରିଥିବା ଧ୍ରୁବ ଜୁରେଲ ଓ ରବିଚନ୍ଦ୍ରନ ଅଶ୍ୱିନ ଦମଦାର ବ୍ୟାଟିଂ କରି ଅଷ୍ଟମ ୱିକେଟ୍ ପାଇଁ ୭୭ ରନ ଯୋଡି ଦଳର ସ୍କୋରକୁ ୪୦୦ ପାର କରାଇଥିଲେ । ରବିଚନ୍ଦ୍ରନ ଅଶ୍ୱିନ ୩୭ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ । ଜୁରେଲ ୪୬ ରନ କରି ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ଏହିପରି ଭାରତ ପ୍ରଥମ ଇନିଂସରେ ୪୪୫ ରନରେ ଅଲଆଉଟ୍ ହୋଇଛି । ପ୍ରଥମ ଦିନରେ ରୋହିତ ଶର୍ମା ୧୩୧ ରନର ଶତକୀୟ ଇନିଂସ ଖେଳିଥିଲେ ।