ରାଜକୋଟ୍: ରାଜକୋଟ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଇତିହାସ ରଚିଛନ୍ତି । ରବି ଅଶ୍ୱିନ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ଦଖଲ କରିଛନ୍ତି । ସେ ୯୮ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଇଂଲିଶ ବ୍ୟାଟର ଜ୍ୟାକ କ୍ରାଉଲିଙ୍କୁ ଆଉଟ୍ କରି ଏହି ମାଇଲଖୁଂଟ ସ୍ଥାପନ କରିଛନ୍ତି । ଏହି ପରି ଅଶ୍ୱିନ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ନେବାରେ ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି । ଏହା ପୂର୍ବରୁ ଭାରତୀୟ ଲେଗ୍ ସ୍ପିନର ଅନିଲ କୁମ୍ବଲେ ଏହି ସଫଳତା ହାସଲ କରିଛନ୍ତି ।
ମୋଟାମୋଟି ଅଶ୍ୱିନ ଟେଷ୍ଟରେ ୫୦୦ ୱିକେଟ୍ ନେବାରେ ଦୁନିଆର ନବମ ବୋଲର ହୋଇଛନ୍ତି । ସେ ସବୁଠୁ କମ୍ ଇନିଂସରେ ୫୦୦ ୱିକେଟ୍ ଦାଖଲ କରିବାରେ ଦ୍ୱିତୀୟ ଦ୍ୱିତୀୟ ବୋଲର । ଶ୍ରୀଲଙ୍କାର ମୁଥେୟା ମୁରଲୀଧରଣ ୧୪୪ଟି ଇନିଂସରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଅଶ୍ୱିନ ୧୮୪ଟି ଇନିଂସରେ ଏହା କରି ଦେଖାଇଛନ୍ତି । କିନ୍ତୁ ସେ ମହାନ ବୋଲର ଅନିଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି । କୁମ୍ବଲେ ୧୮୬ଟି ଇନିଂସରେ ଏବଂ ଶେନ ୱର୍ଣ୍ଣ ୨୦୧ ଇନିଂସରେ ଏହି ସଫଳତା ପାଇଥିଲେ । ଗ୍ଲେନ ମ୍ୟାକଗ୍ରା ୨୧୪ ପାଳିରେ ୫୦୦ ୱିକେଟ୍ ଅକ୍ତିକାର କରିଥିଲେ ।
ମ୍ୟାଚ୍ ଦୃଷ୍ଟିରୁ ମଧ୍ୟ ଅନିଲ କୁମ୍ବଲେଙ୍କୁ ଅଶ୍ୱିନ ପଛରେ ପକାଇଛନ୍ତି । ଅଶ୍ୱିନ ୯୮ ମ୍ୟାଚରେ ଉପଲବ୍ଧି ହାସଲ କରିଥିବା ବେଳେ କୁମ୍ବଲେ ୧୦୫ଟି ଟେଷ୍ଟରେ ମାଇଲଖୁଂଟ ସ୍ଥାପନ କରିଥିଲେ । ୫୦୦ ୱିକେଟ୍ ପାଇଁ ମୁରଲୀଧରଣ ୮୭ଟି ମ୍ୟାଚ୍ ନେଇଥିଲେ । ଶେନ ୱର୍ଣ୍ଣ ୧୦୮ଟି ମ୍ୟାଚ୍ ଓ ଗ୍ଲେନ ମ୍ୟାକଗ୍ରାଙ୍କୁ ୧୧୦ ମ୍ୟାଚରେ ୫୦୦ ୱିକେଟ୍ ଅର୍ଜନ କରିଥିଲେ ।
ସବୁଠୁ କମ ବଲରେ ୫୦୦ ୱିକେଟ୍ ନେବାର ରେକର୍ଡ ଅଷ୍ଟ୍ରେଲିଆର ମହାନ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରାଙ୍କ ନାମରେ ରହିଛି । ଅଶ୍ୱିନ ଏଥିରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମ୍ୟାକଗ୍ରା ୨୫,୫୨୮ ବଲ ଏବଂ ଅଶ୍ୱିନ ୨୫,୭୧୪ ବଲରେ ଏହି କମାଲ କରିଛନ୍ତି । ଜେମ୍ସ ଆଣ୍ଡରସନ ୨୮,୧୫୦ ବଲ ଓ ଷ୍ଟୁଆର୍ଟ ବ୍ରଡ ୨୮, ୪୩୦ ବଲରେ ଏହି ସଫଳତା ହାସଲ କରିଛନ୍ତି ।