ଜୟସ୍ୱାଲଙ୍କ ଦ୍ୱିଶତକ ଓ ସରଫରାଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଇଂଲଣ୍ଡକୁ ୫୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ଭାରତ


ରାଜକୋଟ: ରାଜକୋଟରେ ଯଶସ୍ୱୀ ଜୟସ୍ୱାଲଙ୍କ ରାଜ । ଜୟସ୍ୱାଲଙ୍କ ଧୂଆଁଧାର ଦ୍ୱିତଶତକ ଓ ସରଫରାଜ ଖାନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳା ଯାଉଥିବା ୩ୟ ଟେଷ୍ଟରେ ନିଜର ଦ୍ୱିତୀୟ ଇନିଂସ ୪୩୦/୪ରେ ପାଳି ସମାପ୍ତି ଘୋଷଣା କରିଛି । ଇଂଲଣ୍ଡ ସମ୍ମୁଖରେ ୫୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ଜୟସ୍ୱାଲ ୨୩୬ ବଲରୁ ୨୧୪ ରନ ଓ ସରଫରାଜ ୭୨ ବଲରୁ ୬୮ ରନ କରି ଅପରାଜିତ ଥିଲେ । ଉଭୟଙ୍କ ବ୍ୟତୀତ ଶୁଭମନ ଗିଲ୍ ମଧ୍ୟ ୯୧ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି । ଭାରତ ପ୍ରଥମ ଇନିଂସର ୪୪୫ ରନ ଜବାବରେ ଇଂଲଣ୍ଡ ୩୧୯ ରନରେ ଅଲଆଉଟ୍ ହୋଇଥିଲା ।ଆଉ ଭାରତ ୧୨୬ ରନର ଅଗ୍ରଣୀ ହାସଲ କରିଥିଲା ।

ଭାରତ ତୃତୀୟ ଦିନ ଖେଳ ୧୯୬/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଗିଲ୍ ୬୫ ରନ ଓ କୁଲଦୀପ ଯାଦବ ୩ ରନ କରି କ୍ରିଜରେ ଥିଲେ । ଦୁଇ ବ୍ୟାଟର ଭଲ ବ୍ୟାଟିଂ କରି ୩ୟ ୱିକେଟ୍ ପାଇଁ ୫୫ ରନ ଯୋଡିଥିଲେ । ଶତକ ଆଡକୁ ଅଗ୍ରସର ହେଉଥିବା ଗିଲ୍ ୯୧ ରନରେ ଆଉଟ୍ ହୋଇଥିଲେ । ଏଥିରେ ୯ ଚୌକା ଓ ୨ ଛକା ସାମଲ୍ । ନାଇଟ୍ ୱାଚମ୍ୟାନ କୁଲଦୀପ ୨୭ ରନର ପ୍ରଶଂସନୀୟ ପାଳି ଖେଳିଥିଲେ । ୨୫୮ ରନରେ ୪ ୱିକେଟ୍ ଖସିବା ପରେ ଶତକ ହାସଲ କରି ରିଟାୟର୍ଡ ହଟ୍ ହୋଇଥିବା ଯଶସ୍ୱୀ ଜୟସ୍ୱାଲ କ୍ରିଜକୁ ଓହ୍ଲାଇଥିଲେ । ଆଉ ତାଙ୍କୁ ସହଯୋଗ ଦେଇଥିଲେ ସରଫରାଜ ଖାନ । ଦୁଇ ବ୍ୟାଟର ଦିନିକିଆ ଶୈଳୀରେ ବ୍ୟାଟିଂ କରି ଦ୍ରୁତ ବେଗରେ ରନ ସଂଗ୍ରହ କରିଥିଲେ । ଦେଖୁ ଦେଖୁ ଜୟସ୍ୱାଲ ୧୫୦ ରନ ପୂରଣ କରିଥିଲେ । ଅନ୍ୟପଟେ ସରଫରାଜ ମଧ୍ୟ ବଡ ସଟ୍ ଖେଳି ଚାଲିଥିଲେ । ଦୁଇ ବ୍ୟାଟରଙ୍କ ସାମ୍ନାରେ ଇଂଲଣ୍ଡ ବୋଲର ଅସହାୟ ନଜର ଆସିଥିଲେ ।

ଏହି କ୍ରମରେ ଜୟସ୍ୱାଲ କ୍ରମାଗତ ଟେଷ୍ଟରେ ଦ୍ୱିଶତକ ଅର୍ଜନ କରି ଇତିହାସ ରଚିଥିଲେ । ଅନ୍ୟପଟେ ପଦାର୍ପଣ ଟେଷ୍ଟରେ ସରଫରାଜ ଖାନ ମଧ୍ୟ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପରେ ଦୁଇ ବ୍ୟାଟର ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଥିଲେ । ଏହି ସମୟରେ ରୋହିତ ଶର୍ମା ପାଳି ସମାପ୍ତି ଘୋଷଣା କରିଥିଲେ, ସେତେବେଳକୁ ଭାରତ ୪ ୱିକେଟ୍ ହରାଇ ୪୩୦ ରନ କରିଥିଲା । ଜୟସ୍ୱାଲ ୨୩୬ ବଲରୁ ୧୪ ଚୌକା ଓ ୧୨ ଛକା ବଳରେ ୨୧୪ ରନର ବିଧ୍ୱଂସୀ ଦ୍ୱିଶତକୀୟ ପାଳି ଖେଳିଥିଲେ । ସରଫରାଜ ୭୨ ବଲରୁ ୬ ଚୌକା ଓ ୩ ଛକା ସହ ୬୮ ରନ କରି ଅପରାଜିତ ଥିଲେ । ଉଭୟଙ୍କ ମଧ୍ୟରେ ଅବିଭାଜିତ ପଂଚମ ୱିକେଟରେ ୧୭୨ ରନ ଭାଗିଦାରୀ ହୋଇଥିଲା । ଏହା ସହିତ ଇଂଲଣ୍ଡ ସମ୍ମୁଖରେ ୫୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ ।