ରାହାଣେଙ୍କ ଟେଷ୍ଟ ଦଳକୁ ଫେରିବାର ଆଶା ସମାପ୍ତ ! ରଜଣୀ ଟ୍ରଫିରେ ଚାଲିଲାନି ବ୍ୟାଟ୍


ନୂଆଦିଲ୍ଲୀ: ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ମୁମ୍ବାଇର ଅଧିନାୟକ ଆଜିଙ୍କ୍ୟ ରାହାଣେ ମାତ୍ର ୩ ରନ କରି କ୍ଲିନ ବୋଲ୍ଡ ହୋଇଛନ୍ତି । ରାହାଣେ କେବଳ ଏହି ମ୍ୟାଚରେ ନୁହେଁ ବରଂ ଏଥର ପୁରା ରଣଜୀ ଟ୍ରଫିରେ ଫ୍ଲପ୍ ରହିଛନ୍ତି । ଏହି ସିଜିନରେ ସେ ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟାଟିଂ କରିଛନ୍ତି । ସେ ୯ଟି ଇନିଂସ ଖେଳି ମାତ୍ର ଥରୁଟିଏ ୨୫ ରନ ଅତିକ୍ରମ କରି ପାରିଛନ୍ତି । ଘରୋଇ କ୍ରିକେଟରେ ତାଙ୍କର ଏମିତି ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳର ରାସ୍ତା ଆପାତଃ ବନ୍ଦ ହୋଇ ଯାଇଛି ।

ରାହାଣେ ଶେଷ ଥର ୨୦୨୩ ଜୁଲାଇରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ପରଠୁ ନା ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳରେ ସ୍ଥାନ ମିଳିଲା ନା ଇଂଲଣ୍ଡ ବିପକ୍ଷରେ ଖେଳା ଯାଉଥିବା ଟେଷ୍ଟ ସିରିଜରେ ସ୍ଥାନ ମିଳିଛି । ତାଙ୍କ ପାଖରେ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ନିଜ ଫର୍ମକୁ ସାବ୍ୟସ୍ତ କରିବାର ସୁଯୋଗ ଥିଲା । ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳକୁ ଫେରିବାର ଦ୍ୱାର ଖୋଲିବାର ଥିଲା । ମାତ୍ର ସେ ଏହି ସୁଯୋଗ ବି ହାତଛଡା କରିଛନ୍ତି ।

ରାହାଣେ ଚଳିତ ରଣଜୀ ଟ୍ରଫିରେ ନିଜର ୯ଟି ଇନିଂସରେ ୦,୦,୧୬, ୮,୯,୧, ୫୬, ୨୨ ଓ ୩ ରନ କରିଛନ୍ତି । ଅର୍ଥାତ ସେ ଥରୁଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ବାକି ଆଠଟି ଇନିଂସରେ ତାଙ୍କ ସ୍କୋର ୨୨ ରନରୁ କମ ରହିଛି । ରାହାଣେ ପ୍ରଥମ ଥର ପ୍ରଥମ ଶ୍ରେଣୀ କ୍ରିକେଟରେ ଏମିତି ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି ।

ଭାରତୀୟ ଦଳ ଏବେ ଯୁବ ଖେଳାଳିରେ ଭରପୁର । ଖାସ୍ କଥା ସମସ୍ତେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଯଶସ୍ୱୀ ଜୟସ୍ୱାଲ, ସରଫରାଜ ଖାନ, ଧ୍ରୁବ ଜୁରେଲ, କେଏସ ଭରତ ପରି ନୂତନ ଖେଳାଳି ମିଳିଥିବା ସୁଯୋଗର ଭଲ ସଦୁପଯୋଗ କରିଛନ୍ତି । ଏମିତିରେ ରାହାଣେଙ୍କ ପରି ଭେଟେରାନ ଖେଳାଳିଙ୍କ ପାଇଁ ସମ୍ଭବତଃ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ଅସମ୍ଭବ ଲାଗୁଛି ।

ରାହାଣେ ଭାରତ ପାଇଁ ୮୫ଟି ଟେଷ୍ଟ ଖେଳି ୩୮.୪୬ ହାରରେ ୫୦୭୭ ରନ କରିଛନ୍ତି । ଏଥିରେ ୧୨ ଶତକ ଓ ୨୬ ଅର୍ଦ୍ଧଶତକ ସାମିଲ୍ । ସେ ଭାରତ ପାଇଁ ୯୦ଟି ଦିନିକିଆ ଖେଳି ୨୯୬୨ ରନ କରିଛନ୍ତି ।