ଭାରତୀୟ କ୍ରିକେଟରେ ମ୍ୟାଚ୍ ଫିକ୍ସିଂ, ରିପୋର୍ଟ ମାଗିଲେ ସିଏବି ଅଧ୍ୟକ୍ଷ ଗାଙ୍ଗୁଲି


କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟ୍ ଶ୍ରୀବତ୍ସ ଗୋସ୍ୱାମୀଙ୍କ ଫେସବୁକ ପୋଷ୍ଟକୁ ନେଇ ଭାରତୀୟ କ୍ରିକେଟରେ ଭୂକମ୍ଫ ସୃଷ୍ଟି ହୋଇଛି । ଗୋସ୍ୱାମୀ କୋଲକାତାରେ ପ୍ରଥମ ଶ୍ରେଣୀ କ୍ରିକେଟର ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି । ଗୋସ୍ୱାମୀ ନିଜର ଫେସବୁକ ପେଜରେ ଦୁଇଟି ଭିଡିଓ ସେୟାର କରି ଲେଖିଛନ୍ତି ବ୍ୟାଟରମାନେ ଅନ୍ୟ ଟିମକୁ ପଏଂଟ ଦେବା ଚକ୍କରେ ଜାଣିଶୁଣି ଆଉଟ୍ ହେଉଛନ୍ତି । ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରି ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନ(ସିଏବି)ର ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ।

ଗୋସ୍ୱାମୀ ନିଜର ପୀଡା ବ୍ୟକ୍ତ କରି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଟାଉନ କ୍ଲବକୁ ୭ ପଏଂଟ ଦେବାରେ ସାହାଯ୍ୟ କରିବା ପାଇଁ ମହମ୍ମଡନ ସ୍ପୋର୍ଟିଂର ବ୍ୟାଟର ଜାଣିଶୁଣି ନିଜର ୱିକେଟ୍ ହରାଉଥିଲେ । ସେ ଦୁଇଟି ଭିଡିଓ ସେୟାର କରି ଲେଖିଛନ୍ତି, କୋଲକାତା କ୍ଲବ କ୍ରିକେଟରେ ସୁପର ଡିଭିଜନ ମ୍ୟାଚରେ କଣ ଘଟୁଛି କାହାକୁ କିଛି ଜଣା ଅଛି କି ? ଏହା ଦେଖି ମୋତେ ଲଜ୍ଜା ଲାଗୁଛି ଯେ, ଯାହାକୁ ମୁଁ ହୃଦୟ ସହ ଖେଳିଛି, ସେହି କ୍ରିକେଟରେ ଏମିତି ଘଟୁଛି । କ୍ଲବ କ୍ରିକେଟ ପଶ୍ଚିମବଙ୍ଗ କ୍ରିକେଟର ହୃଦୟ ଓ ଆତ୍ମା । ଦୟାକରି ଏହାକୁ ବରବାଦ କରନ୍ତୁ ନାହିଁ । ମୋତେ ଲାଗୁଛି ଏହା କ୍ରିକେଟ୍ ପାଇଁ ଏକ ସତର୍କ ଘଂଟି ।

ସଂଯୋଗବଶତଃ ସିଏବିର ଯୁଗ୍ମ ସଚିବ ଦେବବ୍ରତ ଦାସ ଟାଉନ କ୍ଲବ ସହ ଜଡିତ ଅଛନ୍ତି । ସେ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, ଅମ୍ପାୟରଙ୍କଠୁ ରିପୋର୍ଟ ମଗା ଯାଇଛି । ଟାଉନ କ୍ଲବ ଶାକିବ ହବିବ ଗାନ୍ଧୀଙ୍କ ୨୨ ୩ ରନ ବଳରେ ୪୪୬ ରନ କରିଥିଲା । ଜବାବରେ ମହମ୍ମଡନ ସ୍ପୋର୍ଟିଂ ୯ ୱିକେଟ୍ ହରାଇ ୨୮୧ ରନ କରି ପାରିଥିଲା ।