ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ନାଗରିକତା ସଂଶୋଧିତ ଆଇନ(ସିଏଏ)କୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଏହାକୁ କେବେ ବି ପ୍ରତ୍ୟାହାର କରାଯିବ ନାହିଁ । ଅଖଣ୍ଡ ଭାରତର ଉଲ୍ଲେଖ କରି ଶାହ କହିଛନ୍ତି ସିଏଏ କେବେ ବି ପ୍ରତ୍ୟାହାର ହେବନି । ଆମ ଦେଶରେ ଭାରତୀୟ ନାଗରିକତା ସୁନିଶ୍ଚିତ କରିବା ଏହା ଭାରତର ବିଷୟ ଏବଂ ଏହା ଦେଶର ସାର୍ବଭୌମତ୍ୱର ନିର୍ଣ୍ଣୟ । ଆମେ ଏଥିରେ କେବେ ବି ସାଲିସ୍ କରିବୁ ନାହିଁ । ଏହି ସମୟରେ ଗୃହ ମନ୍ତ୍ରୀ ଦେଶର ସଂଖ୍ୟାଲଘୁ ବିଶେଷ କରି ମୁସଲିମ ସମୁଦାୟଙ୍କୁ ମଧ୍ୟ ସନ୍ଦେଶ ଦେଇଛନ୍ତି ।
ଅମିତ୍ ଶାହ କହିଛନ୍ତି, ସିଏଏରେ ଦେଶର ସଂଖ୍ୟାଲଘୁଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । କାରଣ ସିଏଏରେ କାହାରି ନାଗରିକତା ଛଡାଇ ନେବାର ପ୍ରାବଧାନ ନାହିଁ । ସିଏଏ କେବଳ ତିନି ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନ ଓ ପାର୍ସି ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବାର ଏକ ଆଇନ । ଉକ୍ତ ତିନି ଦେଶରେ ଯେଉଁମାନଙ୍କୁ ଧାର୍ମିକ ଆଧାରରେ ନିର୍ଯାତାନ ଦିଆଯାଇଛି ସେମାନଙ୍କୁ ଶରଣ ଦେବା ଆମର ନୈତିକ ଏବଂ ସାମ୍ବିଧାନିକ ଦାୟିତ୍ୱ ।
ଶାହ କହିଛନ୍ତି ଯେବେ ଦେଶ ବିଭାଜନ ହେଲା ସେହି ସମୟରେ ପାକିସ୍ତାନରେ ୨୩ ପ୍ରତିଶତ ହିନ୍ଦୁ ଓ ଶିଖ ଥିଲେ । ଆଜି ସେଠାରେ ମାତ୍ର ୩.୭ ପ୍ରତିଶତ ହିନ୍ଦୁ ଓ ଶିଖ ରହିଛନ୍ତି । ସେମାନେ ତ ଭାରତକୁ ଆସି ନାହାନ୍ତି । ସେମାନଙ୍କ ଧର୍ମ ପରିବର୍ତନ କରାଗଲା ଏବଂ ଅପମାନିତ କରାଗଲା । ଏହି ଲୋକେ ଯିବେ କୁଆଡେ । କଣ ଦେଶର ସଂସଦ ଏହା ଉପରେ ବିଚାର କରିବ ନାହିଁ ? ସେହି ପରି ବାଂଲାଦେଶରେ ୧୯୫୧ରେ ହିନ୍ଦୁ ଜନସଂଖ୍ୟା ୨୨ ପ୍ରତିଶତ ଥିଲା । ମାତ୍ର ୨୦୧୧ରେ ସେଠାରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇ ୧୦ ପ୍ରତିଶତକୁ ଖସି ଆସିଛି । ସେହି ଲୋକେ ଯିବେ କୁଆଡେ ବୋଲି ଶାହ ପ୍ରଶ୍ନ କରିଛନ୍ତି ।
ମୁସଲମାନଙ୍କୁ ମଧ୍ୟ ଆବେଦନ କରିବାର ଅଧିକାର ରହିଛି
ସିଏଏ ଅଧିସୂଚନା ଓ ଏହାର ପ୍ରାବଧାନ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ମୁସଲମାନଙ୍କୁ ମଧ୍ୟ ନାଗରିକତା ପାଇଁ ଆବେଦନ କରିବାର ଅଧିକାର ରହିଛି । କାହା ପାଇଁ ରାସ୍ତା ବନ୍ଦ ହୋଇ ନାହିଁ । ଏହି ବିଶେଷ ଅଧିନିୟମ ଏଥିପାଇଁ ତିଆରି କରାଗଲା କାରଣ ସେଠାରେ ନିର୍ଯାତନାରେ ଶିକାର ଲୋକେ ବିନା କୌଣସି କାକଜପତ୍ରରେ ଚାଲି ଆସିଥିଲେ । ଯାହାଙ୍କ ପାଖରେ କୌଣସି କାଗଜପତ୍ର ନାହିଁ ସେମାନଙ୍କ ପାଇଁ କୌଣସି ରାସ୍ତା ବାହାର କରାଯିବ । ଯାହାଙ୍କ ପାଖରେ ଦସ୍ତାବିଜ ଅଛି ସେମାନଙ୍କ ସଂଖ୍ୟା ୮୫ ପ୍ରତିଶତରୁ ଅଧିକ ରହିଛି । କୌଣସି ସମୟ ସୀମା ନାହିଁ । ଲୋକେ ଆରାମରେ ଆବେଦନ କରି ପାରିବେ । ଭାରତ ସରକାର ଆପଣଙ୍କ ସମୟ ଅନୁସାରେ ସାକ୍ଷାତକାର ପାଇଁ କଲ୍ କରିବେ । ସେମାନଙ୍କୁ ନାଗରିକତା ମିଳିବ ଯେଉଁମାନେ ୧୯୪୭ ଅଗଷ୍ଟ ୩୧ରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତରେ ପ୍ରବେଶ କରିଥିବେ ।