ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ପୁଣି ଥରେ ଏସବିଆଇକୁ କଡା ଶବ୍ଦରେ ଭତ୍ସନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନୀ ବଣ୍ଡକୁ ନେଇ ପୁଣି ଥରେ ଏସବିଆଇକୁ ଜବାବ ମାଗିଛନ୍ତି । କାରଣ ଏସବିଆଇ ନିର୍ବାଚନ ଆୟୋଗଙ୍କୁ ପୁରା ତଥ୍ୟ ଦେଇ ନାହିଁ । ସୁପ୍ରିମକୋର୍ଟ ଏସବିଆଇକୁ ନୋଟିସ୍ ଜାରି କରି ପ୍ରଶ୍ନ କରିଛନ୍ତି ଯେ, ବଣ୍ଡର ୟୁନିକ ନମ୍ବର କାହିଁକି ଇସିଆଇକୁ ଦିଆଯାଇ ନାହିଁ । କୋର୍ଟ ନୋଟିସ୍ ଜାରି କରି ସୋମବାର ସୁଦ୍ଧା ଜବାବ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବୁଧବାର ଇସିଆଇକୁ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ହସ୍ତାନ୍ତର କରିଥିଲା ଏସବିଆଇ । ଆଉ ସେହି ଆଶେଶକ୍ରମେ ହିଁ ଇସିଆଇ ଗୁରୁବାର ମିଳିଥିବା ତଥ୍ୟକୁ ନିଜର ୱେବସାଇଟରେ ଅପଲୋଡ୍ କରିଥିଲା । ହେଲେ ଏଥିରେ କୌଣସି ବଣ୍ଡର ୟୁନିକ ନମ୍ବର ଦିଆଯାଇ ନ ଥିଲା ।
ସିଜେଆଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏସବିଆଇକୁ କହିଛନ୍ତି ଯେ, ଆମର ନିର୍ଦ୍ଦେଶ ବହୁତ ସ୍ପଷ୍ଟ ଥିଲା । ଆମେ ପୂରା ତଥ୍ୟ ଦେବାକୁ କହିଥିଲୁ ମାତ୍ର ଆପଣ ୟୁନିକ ନମ୍ବରର ସୂଚନା ମଧ୍ୟ ଦେଲେ ନାହିଁ । ଏବେ ପୁଣି ଥରେ ଏସବିଆଇକୁ ସୂଚନା ଦେବାକୁ ପଡିବ । କୋର୍ଟ ଏସବିଆଇକୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟରେ କହିଛନ୍ତି, ଯଦି ଏହି ବିଷୟରେ ଏସବିଆଇକୁ କିଛି କହିବାର ଅଛି ତେବେ ତାଙ୍କୁ ହିଁ ପ୍ରଶ୍ନ କରାଯାଇ ପାରିବ ।
ଉଲ୍ଲେଖନୀୟ ନିର୍ବାଚନ ଆୟୋଗ ଦୁଇଟି ତାଲିକା ଜାରି କରିଛନ୍ତି । ଗୋଟିଏ ହେଲା ବଣ୍ଡ କିଣିଥିବା ବ୍ୟକ୍ତି କିମ୍ବା କମ୍ପାନୀର ସୂଚନା ଏବଂ ଅନ୍ୟଟି ହେଉଛି ରାଜନୈତିକ ଦଳଗୁଡିକୁ ମିଳିଥିବା ବଣ୍ଡ । ହେଲେ ଏହି ସୂଚନା ଦିଆଯାଇ ନାହିଁ ଯେ, କିଏ କେଉଁ ପାର୍ଟିକୁ କେତେ ଚାନ୍ଦା ଦେଇଛି । କିନ୍ତୁ ୟୁନିକ ନମ୍ବରରୁ ଏହା ଜଣା ପଡିଥାନ୍ତା ଯେ, କିଏ କେଉଁ ଦଳକୁ କେତେ ଚାନ୍ଦା ଦେଇଛି । ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏଡିଆର ପକ୍ଷରୁ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ବଣ୍ଡର ୟୁନିକ ନମ୍ବର ଏସବିଆଇ ପକ୍ଷରୁ ଇସିଆଇକୁ ଦିଆଯାଇ ନାହିଁ । ଏଥିରୁ ଜଣା ପଡିଥାନ୍ତା ଯେ, ବଣ୍ଡ କେଉଁମାନେ କାହା ପାଇଁ କିଣୁଥିଲେ ।
ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲରୁ ୨୦୨୪ ଫେବୃଆରୀ ୧୫ ମଧ୍ୟରେ ମୋଟ୍ ୧୨ ହଜାର ୧୫୬ କୋଟି ଟଙ୍କାର ରାଜନୈତିକ ଫଣ୍ଡ ଦିଆଯାଇଛି । ଏଥିରୁ ୪୮ ପ୍ରତିଶତ ଇଲେକ୍ଟୋରାଲ ବଣ୍ଡ ଜରିଆରେ ମିଳିଛି । ନିର୍ବାଚନୀ ବଣ୍ଡ ସ୍କିମକୁ ୨୦୧୭ରେ ବିଜେପି ଲାଗୁ କରିଥିଲା । ଏହାକୁ କେନ୍ଦ୍ର ସରକାର ପାରଦର୍ଶୀ ବୋଲି ଦର୍ଶାଇଥିଲେ । ତେବେ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଛନ୍ତି ।