Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ବାଚନରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ମହଙ୍ଗା ପଡିଲା : କାଣ୍ଡାମା ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ନିଲମ୍ବିତ

କଳାହାଣ୍ଡି,୧୬/୦୫-ନିର୍ବାଚନ କମିଶନଙ୍କ କଡ଼ା ତାଗିଦ ସତ୍ତ୍ୱେ ନିର୍ବାଚନରେ ଲିପ୍ତ ରହିବା ଓ ଖୋଲାଖୋଲି ଭାବେ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ଏକ୍ସ କ୍ୟାଡର ଶିକ୍ଷକଙ୍କୁ ନିଲମ୍ବନ କରିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଶେଷ ହୋଇଥିବାବେଳେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରଚାରରେ ସାମିଲ ହେବା ଓ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ସମୟର ଏକ ଭିଡିଓ ଭାଇରାଲ ହେବା ଘଟଣା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ କାଣ୍ଡାମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ୍ସ କ୍ୟାଡର ଶିକ୍ଷକ ରାସବିହାରୀ ପରିଚ୍ଛାଙ୍କ ପାଇଁ ମହଙ୍ଗା ପଡିଛି। ନିର୍ବାଚନ ପୂର୍ବରୁ କାଣ୍ଡାମା ଗାଁରେ ସେ ଏକ ନିର୍ଦ୍ଦିଷ୍ଟ ଦଳର ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ହୋଇଥିଲା। ସେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ସମୟର ଏକ ଭିଡିଓ ଭାଇରାଲ ହେବାପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏପରିକି ଭିଡିଓ ଉତ୍ତୋଳନ କରି ସମ୍ପୃକ୍ତ ଶିକ୍ଷକଙ୍କୁ ବ୍ଲାକମେଲ କରିବାକୁ କିଛି ଅସାମାଜିକ ବ୍ୟକ୍ତି ଉଦ୍ୟମ କରିଥିବାବେଳେ କିଛି ଅର୍ଥ ବିନିମୟରେ ଭିଡିଓଟିକୁ ଡିଲିଟ କରାଇବାରେ ସଫଳ ବି ହୋଇଥିଲେ। କିନ୍ତୁ ଡିଲିଟ କରାଯିବା ପୂର୍ବରୁ ଭିଡିଓଟି ଶିକ୍ଷା ବିଭାଗ ହାତରେ ପଡିଯିବାରୁ ତତ୍ପରତା ପ୍ରକାଶ କରିଥିଲା ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ। ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଚିଠି ନଂ.୬୮୦/୧୪.୦୫.୨୦୨୪ ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ନିର୍ବାଚନ ପୂର୍ବରୁ ତତକ୍ଷଣାତ ତାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ରହିଥିଲେ ହେଁ କାଣ୍ଡାମାର ବିଏଲଓ ଦାୟିତ୍ୱରେ ଥିବାରୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ମହଲତ ଦିଆଯାଇଥିଲା। ତେବେ ରାଜନୈତିକ ଦଳର ଟଙ୍କା ବାଣ୍ଟି ଜଣେ ଶିକ୍ଷକ ନିଲମ୍ବିତ ହେବା ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।