କଳାହାଣ୍ଡି, ୨୦/୦୫ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲାରେ ଯକ୍ଷ୍ମା ରୋଗୀଙ୍କ ପାଇଁ ବହୁ ଦିନରୁ ଔଷଧ ଯୋଗାଣ ବନ୍ଦ ହେଇଯାଇଛି। ଏଥିପାଇଁ ଜିଲ୍ଲାରେ ଥିବା ପ୍ରାୟ ୯୦୦ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୨୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ଆଦୌ ଆରମ୍ଭ ହେଇନି। କାରଣ ଜିଲ୍ଲାକୁ ପର୍ଯ୍ୟାପ୍ତ ଔଷଧ ଯୋଗାଣ ହେଉନି। ଅନ୍ୟପକ୍ଷରେ ପୂର୍ବରୁ ୫ଟି ଜିଲ୍ଲା ପାଇଁ ସ୍ଥାନୀୟ କାମଠଣା ଗାଁ ନିକଟରେ ଥିବା ସ୍ବତନ୍ତ୍ର ଯକ୍ଷ୍ମା ଡାକ୍ତରଖାନା ସମ୍ପୂର୍ଣ ବନ୍ଦ ହେଇଯାଇଛି। ଏବେ କେବଳ ୧୪ ଶଯ୍ୟା ବିଶିଷ୍ଟ ଏକ ୱାର୍ଡରେ ରୋଗୀ ଚିକିତ୍ସା ଚାଲିଛି। ହେଲେ ଔଷଧ ର ଅଭାବ ରୋଗୀଙ୍କୁ କଷଣ ଭିତରକୁ ଠେଲି ଦେଇଛି। ଏକ ସୂଚନା ଅନୁଯାୟୀ ଗତ ୨୦୧୯ ରୁ ୨୦୨୩ ମଧ୍ୟରେ ଜିଲ୍ଲାରେ ୮୨୯୩ ଜଣ ରୋଗୀ ଚିହ୍ନଟ ହେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦୭୨ ଜଣ ରୋଗମୁକ୍ତ ହେଇଥିବା କୁହାଯାଉଛି। ସେଥିରେ ମଧ୍ୟ କିଛି ରୋଗୀ ସମ୍ପୂର୍ଣ ରୋଗମୁକ୍ତ ହୋଇପାରି ନାହାନ୍ତି। ତେବେ ୨୦୨୩ ମସିହା ର ପ୍ରାୟ ୩୦୦ ରୋଗୀ ଙ୍କ ସମେତ ଚଳିତ ବର୍ଷ ର ନୂଆ ଚିହ୍ନଟ ହେଇଥିବା ୫୬୦ ଜଣ ରୋଗୀଙ୍କୁ ଆବଶ୍ୟକତା ମୁତାବକ ଔଷଧ ଯୋଗାଣ ହେଉନାହିଁ। ପୂର୍ବରୁ କେନ୍ଦ୍ର ସରକାର ଏହି ଔଷଧ ଯୋଗାଉଥିଲେ। ହେଲେ ଏବେ ପ୍ରାୟ ୪ ମାସ ହେବ ଔଷଧ ଯୋଗାଣ ବନ୍ଦ ଅଛି। ସ୍ଥାନୀୟ ଅଞ୍ଚଳ କିମ୍ବା ରାୟପୁର, ଭୁବନେଶ୍ୱର ରେ ଖୋଲା ବଜାର ରେ ଯକ୍ଷ୍ମା ଔଷଧ ମିଳୁନି। କଦବା କ୍ଵଚିତ ଅଳ୍ପକିଛି ଔଷଧ ଯୋଗାଣ ହେଲେ ଗୁରୁତର ଅବା ପୁରୁଣା ରୋଗୀ ଙ୍କୁ ଡିଡିସି ମାଧ୍ୟମରେ ଦିଆଯାଉଛି। ତଥାପି ଏହା ଯଥେଷ୍ଟ ନୁହେଁ। ପୁରୁଣା ରୋଗୀଙ୍କୁ ଔଷଧ ନିଅଣ୍ଟ ପଡୂଥିବାରୁ ନୂତନ ରୋଗୀ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ରୋଗ ବଢ଼ି ଚାଲିଛି। ଏଣୁ ଅନିଶ୍ଚିତତା ମଧ୍ୟରେ ରୋଗୀ କାଳାତିପାତ କରୁଛନ୍ତି। ଏନେଇ ଜିଲ୍ଲା ଯକ୍ଷ୍ମା ନିରାକରଣ ଦାୟିତ୍ୱ ରେ ଥିବା ଅଧିକାରୀ ପ୍ରବୀଣ କୁମାର ସେନାପତି ଙ୍କୁ ପଚାରିବାରୁ ଔଷଧ ଯୋଗାଣ ବନ୍ଦ ଥିବା କଥା ସେ ସ୍ୱୀକାର କରିଥିଲେ। ତେବେ କିଛି କିଛି ଔଷଧ ଆସିଲେ ଆବଶ୍ୟକତା ଭିତ୍ତିରେ ପୁରୁଣା ବା ଗୁରୁତର ରୋଗୀ ଙ୍କୁ ଦିଆଯାଉଥିବା ସେ ସ୍ୱୀକାର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧୯୬୯ ମସିହାରେ ଯକ୍ଷ୍ମା ନିରାକରଣ ପାଇଁ ସହର ଉପକଣ୍ଠ କାମଠଣା ଗାଁ ନିକଟରେ ଏକ ସ୍ବତନ୍ତ୍ର ଯକ୍ଷ୍ମା ଡାକ୍ତରଖାନା ପ୍ରତିଷ୍ଠା ହେଇଥିଲା। ପ୍ରାୟ ୧୦୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ରେ ଆଖପାଖ ୫ ଟି ଜିଲ୍ଲା ର ରୋଗୀ ଚିକିତ୍ସିତ ହେଉଥିଲେ। କ୍ରମଶଃ ଏହାକୁ ସରକାର ଗୁରୁତ୍ବ ଦେଲେନାହିଁ। ଫଳରେ ଏହା ଏକପ୍ରକାର କାର୍ଯ୍ୟକ୍ଷମ ହେଉନଥିଲା। କୋଭିଡ ସମୟରେ ଏହି ଡାକ୍ତରଖାନା ଭିତ୍ତି ଭୂମି କୁ ସ୍ବତନ୍ତ୍ର କୋଭିଡ଼ ଡାକ୍ତରଖାନା ଭାବେ ବ୍ୟବହାର କରାଗଲା। ଆଉ କୋଭିଡ ସରିବା ପରେ ଡାକ୍ତରଖାନା ଟି ସମ୍ପୂର୍ଣ ବନ୍ଦ ହେଇଯାଇଛି। ଏବେ ସେଠାରେ କୋଭିଡ଼ ଚିକିତ୍ସା ସଂକ୍ରାନ୍ତୀୟ ଯନ୍ତ୍ରପାତି, ଉପକରଣ ରଖାଯାଇ ଗୋଦାମ ସଦୃଶ୍ୟ ବ୍ୟବହାର କରାଯାଉଛି। ଏକଦା ରୋଗୀ ଏବଂ ଚିକିତ୍ସକ ଙ୍କ ଭିଡ଼ରେ ଗହଳ ଚହଳ ଲାଗିରହିଥିବା କାମଠଣା ଯକ୍ଷ୍ମା ଡାକ୍ତରଖାନା ଏବେ ଜଣେ ଫାର୍ମାସିଷ୍ଟ ଏବଂ ଦୁଇଜଣ ଜଗୁଆଳି ଙ୍କ ଦାୟୀତ୍ୱରେ ରହିଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ଯକ୍ଷ୍ମା ଚିକିତ୍ସା ସ୍ବତନ୍ତ୍ର ଡାକ୍ତରଖାନା ରୁ ଏକ ଛୋଟ ୱାର୍ଡ କୁ ସ୍ଥାନାନ୍ତରିତ ହେଇଛି। ସ୍ଥାନୀୟ ଏସଆରଏମ ମେଡିକାଲ୍ କଲେଜ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଯକ୍ଷ୍ମା ୱାର୍ଡ ରହିଛି। ୧୦ ଟି ଶଯ୍ୟା ପାଇଁ ଅନୁମୋଦିତ ଏହି ୱାର୍ଡ ରେ ୧୪ ଟି ଶଯ୍ୟାରେ ରୋଗୀ ଚିକିତ୍ସା କରାଯାଉଛି। ତାହା ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। ଅଥଚ ଯକ୍ଷ୍ମା ରୋଗ ଭଳି ଏକ ଜାତୀୟ କାର୍ଯ୍ୟକ୍ରମ କୁ ସରକାର ଗୁରୁତ୍ଵ ଦେଉନାହାନ୍ତି। ଏଣୁ ରୋଗୀ ଙ୍କୁ ଜୀବନ ରକ୍ଷାକାରୀ ଔଷଧ ଯୋଗାଇ ପାରୁନଥିବା ସରକାରୀ ବ୍ୟବସ୍ଥା ଏବଂ ଯୋଜନା କେଉଁ କାମ ର ବୋଲି ରୋଗୀମାନେ କ୍ଷୋଭ ପ୍ରକାଶ କରୁଛନ୍ତି।