ସୋନିଆଙ୍କ ବଡ଼ ବୟାନ; ଜୁନ ୪କୁ ଅପେକ୍ଷା କରନ୍ତୁ


ନୂଆଦିଲ୍ଲୀ: ଜୁନ ୪ ତାରିଖ ମଙ୍ଗଳବାର ଆସିବ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ । ବିଭିନ୍ନ ଗଣମାଦ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ ପୋଲରେ ଏନଡିଏକୁ ସଂଖ୍ୟା ଗରିଷ୍ଠତା ମିଳୁଥିବା ବେଳେ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଆକଳନ କରାଯାଇଛି । ତେବେ ଏକଜିଟ ପୋଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ସୋନିଆ ଗାନ୍ଧୀ । ଜୁନ ୪ ତାରିଖକୁ ଅପେକ୍ଷା କରନ୍ତୁ ବୋଲି ସୋନିଆ କହିଛନ୍ତି ।

ସୋନିଆ ଆଜି କରୁଣାନିଧିଙ୍କ ଜନ୍ମ ଶତାବ୍ଦୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଦିଲ୍ଲୀ ସ୍ଥିତ ଡିଏମକେ ଅଫିସରେ ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ଏକଜିଟ୍ ପୋଲ୍ ନେଇ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନର ଉତ୍ତରରେ ସୋନିଆ କହିଥିଲେ, ବାସ୍ କେବଳ ଜୁନ୍ ୪ରେ ରେଜଲ୍ଟକୁ ଅପେକ୍ଷା କରନ୍ତୁ । ଏହା ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଏକଜିଟ୍ ପୋଲକୁ ନେଇ ପ୍ରତିକ୍ରିୟା ରଖିସାରିଛନ୍ତି । ପ୍ରକାଶ ପାଇଥିବା ଏକଜିଟ୍ ପୋଲକୁ ନେଇ ରାହୁଲଙ୍କୁ ପ୍ରଶ୍ନ ପଚାରିବା ପରେ, ସେ ଏହାକୁ ଏକଜିଟ୍ ପୋଲ୍ ନକହି ଫାଣ୍ଟାସି ପୋଲ୍ ବୋଲି କହିଥିଲେ । ଏଥିସହିତ ଏଥର ଇଣ୍ଡିଆ ମେଣ୍ଟ ୨୯୫ ସିଟ୍ ଜିତିବ ବୋଲି ସଙ୍କେତ ଦେଇଥିଲେ ରାହୁଲ ।

ସୂଚନାଯୋଗ୍ୟ ଯେ, ଅଧିକାଂଶ ଏକଜିଟ୍ ପୋଲ୍ ସର୍ଭେରେ ଏଥର ଏନଡିଏ ପୁଣିଥରେ ବହୁମତ ହାସଲ କରିବ ବୋଲି ଅନୁମାନ କରିଛନ୍ତି । ଅନ୍ୟପଟେ ଇଣ୍ଡି ମେଣ୍ଟ ୧୩୧ରୁ ୧୬୬ ଆସନ ଜିତିପାରେ ବୋଲି ଅନୁମାନ କରିଛି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ । ହେଲେ ଇଣ୍ଡି ମେଣ୍ଟ ଏଥର ସରକାରକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି କଂଗ୍ରେସ ନେତା ।