ଆଜି ଏନଡିଏ ବୈଠକ: ମୋଦିଙ୍କ ପାଖରେ ବଡ଼ ଦାବି ରଖିପାରନ୍ତି ଚନ୍ଦ୍ରବାବୁ


ନୂଆଦିଲ୍ଲୀ: ୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିସାରିଛି । ବିଜେପିକୁ ଏକାକୀ ମହୁମତ ମିଳି ନଥିଲେ ବି ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଏଭଳି ସ୍ଥିତିରେ ବିଜେପିକୁ ନିଜ ସହଯୋଗୀ ଦଳଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ତେଲଗୁ ଦେଶମ୍ ପାର୍ଟି (ଟିଡିପି) ଓ ଜେଡିୟୁ ଭରସାରେ ମୋଦୀ ସରକାର ବନିବାକୁ ଯାଉଛି । ମୋଦୀଙ୍କ ତୃତୀୟ ଟର୍ମ ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଯାଉଛନ୍ତି । ଏମିତି ସ୍ଥିତିରେ ଦୁଇ ଦଳର ନେତା ମୋଦିଙ୍କ ପାଖରେ ବଡ ସର୍ତ୍ତ ରଖିପାରନ୍ତି ।

ଯଦିଓ ଟିଡିପି ଏନଡିଏର ଅଂଶ କିନ୍ତୁ ଏଥର କିନ୍ତୁ ବିଜେପି ବହୁମତ ହାସଲ କରି ନଥିବାରୁ ସରକାର ଗଠନରେ ଚନ୍ଦ୍ରବାବୁଙ୍କ ସହଯୋଗ ଆଶା କରିବ ବିଜେପି । କିନ୍ତୁ ଏହା ବଦଳରେ ମୋଦୀଙ୍କ ସହ ବଡ ଡିଲ କରିପାରନ୍ତି ଚନ୍ଦ୍ରବାବୁ । ଆଜି ଅପରାହ୍ନରେ ଏନଡିଏର ବୈଠକ ପାଇଁ ଦିଲ୍ଲୀ ଆସୁଛନ୍ତି ଚନ୍ଦ୍ରବାବୁ । ଏହି କ୍ରମରେ ମୋଦିଙ୍କ ପାଖରେ ବିଶେଷ କରି ୨ଟି ମୁଖ୍ୟ ଦାବି ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପ୍ରଥମତଃ ମୋଦି ସରକାରରେ ନିଜ ଦଳର ଅତି କମରେ ୫ ଜଣଙ୍କ ମନ୍ତ୍ରୀ ପଦ ମିଳିବା ଓ ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶକୁ ସର୍ବାଧିକ ଆର୍ଥିକ ସହୟତା । ତେବେ ଆଜି ଦିଲ୍ଲୀ ଗସ୍ତରେ ଥିବାବେଳେ ଜୁନ୍ ୯ ତାରିଖରେ ନିଜର ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ ଦେବେ ବୋଲି ସୂଚନା ମିଳିଛି ।

ସେପଟେ ସତ୍ତା ପାଇଁ ଦଳ ବଦଳରେ ରେକର୍ଡ ପରିଥିବା ନିତିଶ କୁମାରଙ୍କ ଉପରେ ଇଣ୍ଡିଆ ମେଣ୍ଟର ନଜର ରହିଛି । ତାଙ୍କୁ କୌଣସି ବଡ଼ ପଦବୀ ଦେଇ ଏନଡିଏ ଶିବିରରୁ ଇଣ୍ଡିଆ ଶିବରକୁ ନେବାକୁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି । ଏମିତି ସ୍ଥିତିରେ ନିତିଶ ବି ମୋଦିଙ୍କ ପାଖରେ ବଡ଼ ଦାବି ରଖି ପାରନ୍ତି । ଏମିତି ସ୍ଥିତିରେ ଏଥର ମୋଦିଙ୍କୁ ଏହି ଦୁଇ ନେତାଙ୍କୁ ମନାଇ ନିଜ ସପକ୍ଷରେ ରଖିବା ଓ ସରକାର ଚଲାଇବା କଷ୍ଟକର ହୋଇପାରେ ।